ସେଣ୍ଟିନେଲ ଆଦିବାସୀଙ୍କ ସୁରକ୍ଷା ନେଇ ଚେତିଲେ ସରକାର, ସେଣ୍ଟିନେଲ ଦ୍ବୀପକୁ ନିଷିଦ୍ଧାଞ୍ଚଳ ଘୋଷଣା

ନୂଆଦିଲ୍ଲୀ : ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଅନ୍ତର୍ଗତ ଉତ୍ତର ସେଣ୍ଟିନେଲରେ ରହୁଥିବା ବିରଳ ସେଣ୍ଟିନେଲିଜ ଆଦିମ ଅଧିବାସୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର କେତେକ ପଦକ୍ଷେପ ନେଇଛନ୍ତି । ଗତ ବର୍ଷ ଜଣେ ଆମେରିକୀୟ ନାଗରିକ ଜନ ଆଲେନ ଚାଉ ଏହି ଦ୍ବୀପରେ ବେଆଇନ ଭାବେ ପ୍ରବେଶ କରି ଆଦିବାସୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ । ଏହା ଅନ୍ତର୍ଜାତୀୟ ସ୍ତରରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା । ଏହା ପରେ ଭାରତ ସରକାର ସତର୍କ ହୋଇଯାଇଥିବା କୁହାଯାଉଛି । ସେଣ୍ଟିନେଲମାନଙ୍କ ନିରାପତ୍ତା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

ସଂପୂର୍ଣ୍ଣ ଉତ୍ତର ସେଣ୍ଟିନେଲ ଦ୍ୱୀପ ସହିତ ୫ କିଲୋମିଟର ଉପକୂଳ ଅଞ୍ଚଳକୁ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି । ସେଣ୍ଟିନେଲମାନେ ଏବେ ବି ପୃଥକ ରହିବା ସହ ମୌଳିକ ଶୈଳୀରେ ଶିକାର ଓ ଖାଦ୍ୟ ସଂଗ୍ରହ କରୁଛନ୍ତି । ସରକାର ସେମାନଙ୍କ ଜୀବନଶୈଳୀକୁ ସମର୍ଥନ ଜଣାଇବା ସହ “ଆଇଜ ଅନ, ହ୍ୟାଣ୍ଡସ ଅଫ” ପ୍ରକ୍ରିୟା ଆପଣାଇ ସେଣ୍ଟିନେଲଙ୍କ ସଂରକ୍ଷଣ ଓ ନିରାପତା ପାଇଁ ଚେଷ୍ଟା କରୁଛି । ଉତ୍ତର ସେଣ୍ଟିନେଲ ଦ୍ୱୀପରେ ଜାହାଜ ମାଧ୍ୟମରେ ପଇଁତରା ମାରିବାକୁ ଏକ ପ୍ରୋଟୋକଲ ଜାରି ହୋଇଛି । ତଟରକ୍ଷା ବାହିନୀର ଜାହାଜ ଓ ଏୟାରକ୍ରାଫ୍ଟ ସାଙ୍ଗକୁ ମେରାଇନ ପୋଲିସର ବୋଟ ଉତ୍ତର ସେଣ୍ଟିନେଲ ଦ୍ୱୀପ ଚାରିପଟେ ପଇଁତରା ମାରିବା ସହ ନଜର ରଖିବ ।

ସ୍ଥଳଭାଗ ସହିତ ତଟବର୍ତ୍ତୀ ସମୁଦ୍ରର ଆଦିବାସୀ ଅଞ୍ଚଳ ସହ ଲାଗି ରହିଥିବା ୧ ରୁ ୫ କିଲୋମିଟର ଅଞ୍ଚଳକୁ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଦ୍ୱାରା ମାଛ, କଇଁଛ ଆଦି ସାମୁଦ୍ରିକ ସମ୍ପଦକୁ ସ୍ୱତନ୍ତ୍ର ଭାବେ ବିପନ୍ନ ଆଦିବାସୀ ସମୂହ ବ୍ୟବହାର କରିପାରିବେ । ଆଣ୍ଡାମାନ ଟ୍ରଙ୍କ ରୋଡରେ ଯାନବାହାନ ଚଳପ୍ରଚଳକୁ ନିୟନ୍ତ୍ରଣ କରି କନଭୟରେ ଛାଡ଼ିବାର ବ୍ୟବସ୍ଥା ହୋଇଛି । ୨୦୧୩ରେ ବଫର ଜୋନ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ଏଥିରେ ଜରୱା ଆଦିବାସୀ ସଂରକ୍ଷଣ ଅଞ୍ଚଳ (ସ୍ଥଳଭାଗରୁ ପାଞ୍ଚ କିଲୋମିଟର ଓ ଜଳଭାଗରୁ ଏକ କିଲୋମିଟର), ବଫର ଜୋନରେ ସମସ୍ତ ବାଣିଜ୍ୟିକ/ପର୍ଯ୍ୟଟନ କାର୍ଯ୍ୟକଳାପ ନିଷେଧ ହୋଇଛି । ପୁଲିସ, ବନ ବିଭାଗ ଓ ଆଣ୍ଡାମାନ ଆଦିନ ଜନଜାତି ବିକାଶ ସମିତି ତରଫରୁ ଜରୱା ଅଞ୍ଚଳରେ ମିଳିତ ପାଟ୍ରୋଲିଂ ହୋଇ ଶିକାରୀ ଓ ଅଣଆଦିବାସୀ ତତ୍ତ୍ଵଙ୍କୁ ଜରୱା ଜନଜାତି ଠାରୁ ଦୂରେଇ ରଖାଯାଏ । ଜରୱା ଆଦିବାସୀ ସଂରକ୍ଷଣ ଅଞ୍ଚଳ ପାଖରେ ଥିବା ତିରୁରରେ ଜଣେ ଏସଆଇ ଓ ୧୦ କନେଷ୍ଟବଳଙ୍କୁ ନେଇ ପାଟ୍ରୋଲିଂ ପାଇଁ ଏକ ସ୍ୱତନ୍ତ୍ର ପୁଲିସ ଟିମ ମୁତୟନ ହୋଇଛି । ତଟରକ୍ଷା ବାହିନୀର ଜାହାଜ ଓ ଏୟାରକ୍ରାଫ୍ଟ ସାଙ୍ଗକୁ ମେରାଇନ ପୋଲିସର ବୋଟ ଉତ୍ତର ସେଣ୍ଟିନେଲ ଦ୍ୱୀପ ଚାରିପଟେ ପଇଁତରା ମାରିବା ସହ ନଜର ରଖିବ ।

ସମ୍ବନ୍ଧିତ ଖବର