ଅନଲକ ୩.୦ : ରାତି କର୍ଫ୍ୟୁ ଉଠିଲା, ଅଗଷ୍ଟ ୫ରୁ ଜିମ ଖୋଲିବ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଆଜି ଅନଲକ ୩.୦ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ଏଥିରେ ପୂର୍ବରୁ ଲାଗୁ କଟକଣାକୁ ଆହୁରି କୋହଳ କରାଯାଇଛି କିନ୍ତୁ କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ପୂର୍ବଭଳି କଟକଣା ଲାଗୁ ରହିବ ।

ନୂଆ ଗାଇଡଲାଇନରେ ରାତ୍ରିକାଳୀନ କର୍ଫ୍ୟୁକୁ ସଂପୂର୍ଣ୍ଣ ଉଠାଇଦିଆଯାଇଥିବାବେଳେ ସ୍କୁଲ, କଲେଜ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ବିମାନ ଚଳାଚଳ ଉପରେ କଟକଣା ପୂର୍ବଭଳି ଲାଗୁ ରହିବ । କେବଳ ବନ୍ଦେ ଭାରତ ମିଶନ ଅଧିନରେ ସୀମିତ ବିମାନ ସେବାକୁ ଅନୁମତି ରହିବ ।

ଅଗଷ୍ଟ ୧୫ରେ ପଡ଼ୁଥିବା ସ୍ୱାଧୀନତା ଦିବସ ପାଳନ ବେଳେ ଗାଇଡଲାଇନ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ଅନ୍ୟପକ୍ଷରେ ଅଗଷ୍ଟ ୫ରୁ ଜିମ ଓ ଯୋଗ କେନ୍ଦ୍ର ଖୋଲିବାକୁ ଅନୁମତି ଦିଆଯାଇଥିବବେଳେ ସେଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି । ସିନେମା ହଲ, ବାର, ଅଡିଟୋରିୟମ, ସ୍ୱିମିଂ ପୁଲ, ମନୋରଂଜନ ପାର୍କ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ସେହିପରି ମେଟ୍ରୋ ରେଳ ଚଳାଚଳ ପାଇଁ ଅନୁମତି ଦିଆଯାଇନାହିଁ । ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନକୁ ଅନୁମତି ଦିଆଯାଇନାହିଁ ।

ପରବର୍ତ୍ତିକାଳରେ ସ୍ଥିତିର ଆକଳନ କରି ଏଗୁଡ଼ିକୁ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।
ଅନ୍ୟପକ୍ଷରେ କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ପୂର୍ବପରି କଟକଣା ଜାରି ରହିବ । ରାଜ୍ୟ ସରକାର ଓସ୍ଥାନୀୟ ପ୍ରଶାସନ ସ୍ଥିତିର ଆକଳନ କରି ନିଷ୍ପତ୍ତି ନେଇପାରିବେ ।

ସମ୍ବନ୍ଧିତ ଖବର