ପେଟ୍ରୋଲ, ଡିଜେଲ ଦର ନ ବଢାଇବାକୁ ତେଲକମ୍ପାନିମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ !

ନୂଆଦିଲ୍ଲୀ : ଅନ୍ତର୍ଜତୀୟ ବଜାରରେ ଅଶୋଧିତ ତେଲଦର ବୃଦ୍ଧି ସହ ତାଳ ଦେଇ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ଆଗକୁ ଗୁରୁତ୍ୱପୂର୍ଣ୍ଣ କର୍ଣ୍ଣାଟକ ନିର୍ବାଚନ ରହିଛି । ବର୍ଷ ଶେଷ ବେଳକୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନ ରହିଛି । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ରହିଛି । କିନ୍ତୁ ତେଲଦର ନିୟମିତଭାବେ ବଢିଚାଲିଥିବାରୁ ଜନଅସନ୍ତୋଷ ବଢିଚାଲିଛି । ଏଣୁ ତେଲ ଦର ନ ବଢାଇବା ଲାଗି ସରକାର ରାଷ୍ଟ୍ରାୟତ ତେଲ କମ୍ପାନିମାନଙ୍କୁ କହିଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି । ଏ ସଂପର୍କରେ ଜାତୀୟ ସ୍ତର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ସରକାରଙ୍କ ଏହି ନିର୍ଦ୍ଦେଶ ପାଳନ କରିବା ଦ୍ୱାରା ରାଷ୍ଟ୍ରାୟତ ତେଲ କମ୍ପାନି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମର କ୍ଷତି ବଢିବାର ଆଶଙ୍କା ସୃଷ୍ଟି ହୋଇଛି । ଏହି କମ୍ପାନିମାନେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧ ଟଙ୍କା ଲେଖାଏଁ କ୍ଷତି ସହିବା ସମ୍ଭାବନା ରହିଛି । ଅପରପକ୍ଷରେ ସରକାର ତେଲ ଉପରୁ ଉତ୍ପାଦ ଶୁଳକ ହ୍ରାସ କରିବାର ସମ୍ଭାବନା କମ । କାରଣ ଜିଏସଟି ଲାଗୁ ହେଲା ପରେ ସରକାରଙ୍କ ରାଜସ୍ୱ ଆଦାୟ ହ୍ରାସ ପାଇଛି ।

ତେବେ ଏହା ସତ୍ୟ ଯେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଏହା ଦ୍ୱାରା ସାଧାରଣ ଖାଉଟି ଉପକୃତ ହେବାର ସମ୍ଭାବନା ରହିଛି ।
ମୋଦି ସରକାର ୨୦୧୪ରେ ଶାସନ କ୍ଷମତାକୁ ଆସିବା ପରେ ଅନ୍ତର୍ଜାତୀୟ ବଜାରରେ ତେଲଦର ବ୍ୟାରେଲ ପିଛା ୨୭ ଡଲାରକୁ ଖସିଆସିଥିଲା, କିନ୍ତୁ ଏବେ ତାହା ବୃଦ୍ଧି ପାଇ ୭୦ ଡଲାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର