ଦିଲ୍ଲୀ ହିଂସା ପ୍ରଭାବିତ ଓଡ଼ିଆଙ୍କ ପାଖରେ ପହଞ୍ଚିଲା ସରକାରୀ ସହାୟତା

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ସ୍ଥିତି ଧୀରେଧୀରେ ସ୍ବାଭାବିକ ହେଉଥିବାବେଳେ ପ୍ରଭାବିତ ଓଡ଼ିଆମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ରାଜ୍ୟ ସରକାର। ଆଜି ଉତ୍ତର-ପୂର୍ବ ଦିଲ୍ଲୀର କରାବଲ ନଗରସ୍ଥିତ ଶେରପୁର ଗାଁରେ ରାଜ୍ୟସରକାରଙ୍କ ପକ୍ଷରୁ ମୋ ପରିବାର ଯୋଜନା ଅନ୍ତର୍ଗତ ପ୍ରଭାବିତ ୫୦ ଓଡ଼ିଆ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ାର ରାଜନଗର ବିଧାୟକ ଧ୍ରୁବ ସାହୁ ଓ ଓଡ଼ିଆ ମହାମଞ୍ଚ ତରଫରୁ ଅଧ୍ୟକ୍ଷ ଗୋବର୍ଦ୍ଧନ ଧଳଙ୍କ ନେତୃତ୍ବରେ ୧୫ ଜଣ ସଦସ୍ୟ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ପୀଡ଼ିତ ମାନଙ୍କୁ ୧୫ ଦିନର ଖାଦ୍ୟ ସାମଗ୍ରୀ ଓ ଔଷଧ ପ୍ରଦାନ କରିଥିଲେ। ଏଥିସହିତ ପ୍ରତ୍ୟେକ ପରିବାରଙ୍କୁ ବେଡସିଟ୍ ମଧ୍ୟ ପ୍ରଦାନ କରାଯାଇଥିଲା। ପୀଡ଼ିତ ମାନଙ୍କ ଆବଶ୍ୟକତା ଅନୁଯାୟୀ ଅନ୍ୟାନ୍ୟ ଜିନିଷ ଯୋଗାଇ ଦିଆଯିବ ବୋଲି ପ୍ରତିନିଧି ମଣ୍ଡଳଙ୍କ ଦ୍ବାରା ଅଶ୍ବାସନା ଦିଆଯାଇଥିଲା। ଉତ୍ତର-ପୂର୍ବ ଦିଲ୍ଲୀର ଭଜନାପୁରା, ଚାନ୍ଦବାଗ, ଗୋକୁଳପୁରୀ, ଖଜୁରିଖାସ, ଦୟାଲପୁର ରୋଡ୍‌ ପ୍ରଭୃତି ଅଞ୍ଚଳରେ ରହୁଥିବା ଓଡ଼ିଆ ପରିବାର ଶେରପୁର ଗାଁରେ ଏକାଠି ହୋଇ ସହାୟତା ଗ୍ରହଣ କରିଥିଲେ। ପ୍ରକାଶଥାଉକି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଧାୟକ ଶ୍ରୀ ସାହୁ ଦିଲ୍ଲୀ ଯାଇଛନ୍ତି। ଉତ୍ତର-ପୂର୍ବ ଦିଲ୍ଲୀରେ କେନ୍ଦ୍ରାପଡ଼ା ଜିଲ୍ଲାର ୨୦୦ ରୁ ଊର୍ଦ୍ଧ୍ବ ପରିବାର ଦୀର୍ଘ ୨୦-୨୫ ବର୍ଷରୁ ବସବାସ କରିଆସୁଛନ୍ତି ଏବଂ ସେମାନେ ଦଙ୍ଗାରେ ପ୍ରଭାବିତ ହୋଇଥିଲେ।

ସମ୍ବନ୍ଧିତ ଖବର