‘ଅଗ୍ନିପଥ’ ସଂପର୍କରେ ମିଥ୍ୟା ପ୍ରଚାର ଅଭିଯୋଗ : ୩୫ଟି ହ୍ବାଟ୍ସଆପ ଗ୍ରୁପ ନିଷିଦ୍ଧ, ୧୦ ଗିରଫ

ନୂଆଦିଲ୍ଲୀ : ନୂଆଦିଲ୍ଲୀ : ଭାରତୀୟ ସାମରିକ ବାହିନୀରେ ନିଯୁକ୍ତି ପାଇଁ ସରକାର ଆରମ୍ଭ କରିଥିବା ଅଗ୍ନିପଥ୍ ସ୍କିମ ସଂପର୍କରେ ମିଥ୍ୟା ଖବର ପ୍ରସାର କରୁଥିବା ଅଭିଯୋଗରେ ସରକାର ୩୫ଟି ହ୍ବାଟ୍ସଆପ ଗ୍ରୁପକୁ ନିଷିଦ୍ଧ କରିଛନ୍ତି । ଏହା ସହିତ ଅଗ୍ନିପଥ ସଂପର୍କରେ ଗୁଜବ ପ୍ରଚାର କରି ଯୁବକମାନଙ୍କୁ ଉସୁକାଉଥିବା ଅଭିଯୋଗରେ ୧୦ ଜଣ ଲୋକଙ୍କୁ ଗିରଫ କରାଯାଇଛି ।

ଅନ୍ୟପକ୍ଷରେ ହ୍ବାଟ୍ସଆପ ଓ ଅନ୍ୟ ସୋସିଆଲ ମିଡିଆର ସାଇଟରେ  ଅଗ୍ନିପଥ ସଂପର୍କରେ ମିଥ୍ୟା ଖବର ପ୍ରସାର କରୁଥିବା ଲୋକମାନଙ୍କ ଉପରେ ସରକାରଙ୍କ ପକ୍ଷରୁ ନଜର ରଖାଯାଇଛି । ଆହୁରି ମଧ୍ୟ ଅଗ୍ନିପଥ ସଂପର୍କରେ କରାଯାଉଥିବା ବିଭିନ୍ନ ମିଥ୍ୟା ପ୍ରଚାରର ମୁକାବିଲା କରିବାକୁ ପିଆଇବି ପକ୍ଷରୁ ଏକ ସତ୍ୟଅନୁସନ୍ଧାନ ସେଲ ଖୋଲାଯାଇ ମିଥ୍ୟା ଖବରକୁ ଖଣ୍ଡନ କରାଯାଉଛି ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ମଙ୍ଗଳବାରଦିନ ସେନା ବାହିନୀରେ ନୂଆ ନିଯୁକ୍ତି ଯୋଜନା ଅଗ୍ନିପଥର ଘୋଷଣା କରିଥିଲେ । ଏହା ମାଧ୍ୟମରେ ୧୭.୫ ବର୍ଷରୁ ୨୧ ବର୍ଷର ଯୁବକ ଯୁବତୀମାନେ ସେନାବାହିନୀରେ ୪ ବର୍ଷ ପାଇଁ ଯୋଗ ଦେଇପାରିବେ ।

ମାତ୍ର ଏହାକୁ ନେଇ ବିହାର, ଉତ୍ତରପ୍ରଦେଶ, ହରିୟାଣା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟରେ ଯୁବକମାନେ ପ୍ରବଳ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଏହାକୁ ନେଇ ସରକାର ଓ ସାମରିକ ବାହିନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ପରେ ବି ବିକ୍ଷୋଭ ଜାରି ରହିଛି ।

ସମ୍ବନ୍ଧିତ ଖବର