ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ରେମଡେସଭିର ତଥା ରେମଡେସଭିର ଆକ୍ଟିଭ ଫାର୍ମାସୁଟିକାଲ ଇନଗ୍ରେଡିଏନ୍ସ (ଏପିଆଇ) (ଏହି ଔଷଧ ପ୍ରସ୍ତୁତିରେ ଲାଗୁଥିବା କଞ୍ଚାମାଲ)ର ରପ୍ତାନିକୁ ନିଷିଦ୍ଧ କରିଛନ୍ତି । ଦେଶରେ କରୋନା ମହାମାରୀ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ ରେମଡେସଭିର ଔଷଧ ଉତ୍ପାଦନକାରୀ କମ୍ପାନିମାନେ ଓ୍ବେବସାଇଟରେ ନିଜର ଷ୍ଟକିଷ୍ଟ ଓ ଡିଷ୍ଟ୍ରିବୁଟର୍ସଙ୍କ ବିବରଣୀ, ମହଜୁଦ ଥିବା ଷ୍ଟକ ପରିମାଣ ଦର୍ଶାଇବେ । ସେହିପରି ବଜାରରେ ଥିବା ଷ୍ଟକ ଯାଞ୍ଚ କରିବାକୁ ଡ୍ରଗ ଇନ୍ସପେକ୍ଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କଳାବଜାରୀ ଓ ଜମାଖୋରୀ ରୋକିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରାଜ୍ୟ ସ୍ବାସ୍ଥ୍ୟ ସଚିବମାନେ ଏ ସମ୍ପର୍କରେ ଡ୍ରଗ ଇନ୍ସପେକ୍ଟରମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହ ସ୍ଥିତିର ସମୀକ୍ଷା କରିବେ ।
ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବାରୁ ରେମଡେସଭିର ଇଂଜେକ୍ସନର ଚାହିଦା ହଠାତ ବଢିଯାଇଛି । ଏହି ବର୍ଦ୍ଧିତ ଚାହିଦା ମେଣ୍ଟାଇବାକୁ ଉତ୍ପାଦନକାରୀମାନଙ୍କ ସହ ସରକାର ଆଲୋଚନା କରୁଥିବା ଜଣାଯାଇଛି ।