ଉନ୍ନତ ସେବା ନିମନ୍ତେ ଜିଲ୍ଲା ଚିକିତ୍ସାଳୟଗୁଡ଼ିକର ପାହ୍ୟା ବଢ଼ାଇବେ ସରକାର

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ନିମନ୍ତେ ସରକାରୀ ଡାକ୍ତରଖାନାଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ବଢ଼ାଇବା ପାଇଁ ନୀତି ଆୟୋଗଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜିଲ୍ଲା ଚିକିତ୍ସାଳୟଗୁଡ଼ିକୁ ସେମାନଙ୍କର ସ୍ୱାସ୍ଥ୍ୟ ସୂଚକ କାର୍ଯ୍ୟ ଦକ୍ଷତା ଭିତ୍ତିରେ ପାହ୍ୟା ପ୍ରଦାନ କରିବା ଆରମ୍ଭ କରିଛନ୍ତି।

ଦେଶବ୍ୟାପୀ ପ୍ରାୟ ୭୩୪ଟି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ସେଠାରେ ଜନସାଧାରଣଙ୍କୁ ମାଧ୍ୟମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉଛି। ଏହା ସହ, ଜିଲ୍ଲାସ୍ତରୀୟ ମହିଳା ହସ୍‌ପିଟାଲ୍‌ ଭଳି ପ୍ରାୟ ୩୦୦ ଅନ୍ୟାନ୍ୟ ଡାକ୍ତରଖାନା ସବୁକୁ ମଧ୍ୟ ପାହ୍ୟା ପ୍ରଦାନ କରାଯିବ।

ସ୍ୱାସ୍ଥ୍ୟସେବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ପାଇଁ ଉକ୍ତ ଡାକ୍ତରଖାନାଗୁଡ଼ିକୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଉଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟ ଦକ୍ଷତାର ମୂଲ୍ୟାୟନ ପାଇଁ କୌଣସି ଧାରା ନାହିଁ ବୋଲି ମୋଦି ସରକାର ଏ ଭଳି ନିଷ୍ପତ୍ତି ନେଇଛନ୍ତି।

ପାହ୍ୟା ନିମନ୍ତେ କରାଯାଉଥିବା ମୂଲ୍ୟାୟନ ଡାକ୍ତରଖାନାଗୁଡ଼ିକର ଉନ୍ନତିକଳ୍ପେ ଏକ ପ୍ରତିଯୋଗିତାପୂର୍ଣ୍ଣ ପରିବେଶ ସୃଷ୍ଟି କରିବ। ଏହି ସମଗ୍ର ପ୍ରକ୍ରିୟା ଏକ ପ୍ରମାଣର ଭିତ୍ତି ଯୋଗାଇବା ସହ କେଉଁ ଡାକ୍ତରଖାନାଗୁଡ଼ିକୁ ପ୍ରୋତ୍ସାହିତ କରାଯିବ ସେଗୁଡ଼ିକୁ ଚିହ୍ନଟ କରାଇବ।

ଡାକ୍ତରଙ୍କ ପିଛା ଓଡିପି, ଟେକ୍‌ସିଆନ୍‌ଙ୍କ ମୁଣ୍ଡପିଛିା ଲାବ୍ରୋଟେରି ପରୀକ୍ଷା ସଂଖ୍ୟା, ଅତ୍ୟାବଶ୍ୟକୀୟ ଔଷଧପତ୍ରର ଷ୍ଟକ୍‌ ଶେଷ ହାର, ବେଡ୍‌ ଅଧିଗ୍ରହଣ ହାର, ସି-ସେକ୍‌ସନ୍‌ ହାର, ବ୍ଲଡ୍‌ ବ୍ୟାଙ୍କ୍‌ ରିପ୍ଲେସ୍‌ମେଣ୍ଟ୍‌ ହାର ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ସଂକ୍ରମଣ ହାର ଆଦିକୁ କାର୍ଯ୍ୟ ଦକ୍ଷତାର ସୂଚକ ରୂପେ ଗ୍ରହଣ କରାଯିବ। ପ୍ରତି ଏକ ଲକ୍ଷ ଜନତାରେ ହସ୍‌ପିଟାଲ୍‌ ବେଡ୍‌ର କାର୍ଯ୍ୟକାରିତା, ଡାକ୍ତରଙ୍କ ଅନୁପାତ, ନର୍ସ ଏବଂ ପାରାମେଡିକାଲ୍‌ ଷ୍ଟାଫ୍‌ ହେଉଛି ଅନ୍ୟାନ୍ୟ ମାନଦଣ୍ଡ ଯାହାକୁ ହିସାବକୁ ନିଆଯାଇ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର କାର୍ଯ୍ୟଦକ୍ଷତା ଆକଳନ କରାଯିବ।

ପ୍ରଥମ ଥର ଲାଗି ଏହି ସୂଚକ ରୋଗୀମାନଙ୍କ ଠାରୁ ମଧ୍ୟ ମତାମତ ଗ୍ରହଣ କରାଯିବ ଏବଂ ସନ୍ତୋଷ ଲାଭ କରିଥିବା ରୋଗୀଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ।

ସମ୍ବନ୍ଧିତ ଖବର