ନୂଆଦିଲ୍ଲୀ : ରାପିଡ୍ ଏଣ୍ଟିବଡି ଟେଷ୍ଟିଂ ପାଇଁ ରାଜ୍ୟମାନଙ୍କୁ ଯେଉଁ କିଟ୍ ଦିଆଯାଇଥିଲା ତାହା ଫେରାଇ ଦେବାପାଇଁ ଆଜି ଆଇସିଏମ୍ଆର (ଇଣ୍ଡିଆନ କାଉନସିଲ୍ ଫର ମେଡିକାଲ ରିସର୍ଚ୍ଚ) ପକ୍ଷରୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରାପିଡ୍ ଏଣ୍ଟିବଡି ଟେଷ୍ଟ୍ କିଟ୍ର ଫଳ ସନ୍ତୋଷଜନକ ହୋଇନଥିବାରୁ ଆଇସିଏମ୍ଆର ଏହି କିଟ୍ ଫେରାଇ ଦେବାପାଇଁ କହିଛି। କେନ୍ଦ୍ର ସରକାର ଚୀନ୍ କମ୍ପାନି ୱଣ୍ଡଫୋ ବାୟୋଟେକ୍ ଏବଂ ଲିଭ୍ଜନ୍ ଡାଇଗ୍ନୋଷ୍ଟିକ୍ଠାରୁ ୫ ଲକ୍ଷ ଟେଷ୍ଟ୍ କିଟ୍ କିଣିଥିଲେ। ଏହି କିଟ୍ଗୁଡ଼ିକୁ ରାଜ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ଅନେକ ରାଜ୍ୟ ଏହି ଟେଷ୍ଟ୍ କିଟ୍ ଠିକ୍ ନଥିବା ଅଭିଯୋଗ କରିବାପରେ ଆଇସିଏମ୍ଆର ରାଜ୍ୟମାନଙ୍କୁ ଏହି କିଟ୍ରେ ଟେଷ୍ଟ୍ ବନ୍ଦ କରିବାକୁ କହିଥିଲା ଏବଂ କିଟ୍କୁ ନେଇ ବ୍ୟାପକ ପରୀକ୍ଷଣ ଚାଲିଥିଲା। ଭାରତ ସରକାର ମଧ୍ୟ ଏହି କିଟ୍ ପାଇଁ ଚୀନ ସହିତ ହୋଇଥିବା ଚୁକ୍ତିକୁ ବାତିଲ କରିବା ସହିତ ଏଗୁଡ଼ିକୁ ଫେରାଇଦେବାକୁ ସ୍ଥିର କରିଛନ୍ତି।
ଆଜି ଆଇସିଏମ୍ଆର ଦ୍ବାରା ଏହି ଟେଷ୍ଟ୍ କିଟ୍ର ଫଳ ସନ୍ତୋଷଜନକ ଆସିନଥିବା ଜଣାପଡ଼ିବାପରେ ରାଜ୍ୟମାନଙ୍କୁ ଏହା ଫେରାଇ ଦେବାପାଇଁ କୁହାଯାଇଛି। ଆଇସିଏମ୍ଆର ପକ୍ଷରୁ କୁହାଯାଇଛି ଯେ, ରୢାପିଡ୍ ଏଣ୍ଟିବଡି ଟେଷ୍ଟ୍ରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ଅନ୍ୟପକ୍ଷେ ଆଇସିଏମ୍ଆର ପୁଣିଥରେ ଆରଟି-ପିସିଆର ଟେଷ୍ଟ୍ ସଠିକ୍ ବୋଲି କହିଛନ୍ତି।