କ’ଣ ଘରେ ବସି ଅନଲାଇନରେ ଏଫ୍‌ଆଇଆର୍‌ ଦାଏର କରିହେବ ? ପ୍ରସ୍ତାବ ବିଚାରାଧୀନ

ନୂଆଦିଲ୍ଲୀ : କଣ ଲୋକମାନେ ଘରେ ବସି ଅନଲାଇନରେ ଏଫଆଇଆର ଦାଏର କରିପାରିବେ ? ଏ ନେଇ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି । ଏ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରାଳୟ ଆଇନ ଆୟୋଗ ବା ଲ’ କମିଶନକୁ ମତାମତ ମାଗିଛି ।

ସୁପ୍ରିମକୋର୍ଟଙ୍କ ୨୦୧୩ ନଭେମ୍ବର ରାୟ ଓ ସିଆରପିସିର ଧାରା ୧୫୪ ଅନୁସାରେ ଧର୍ତ୍ତବ୍ୟ ଅପରାଧ ଯେଉଁ କ୍ଷେତ୍ରରେ ପ୍ରାରମ୍ଭିକ ତଦନ୍ତର ଆବଶ୍ୟକତା ନାହିଁ, ସେ କ୍ଷେତ୍ରରେ ଏଫଆଇଆର ରୁଜ୍ଜୁ କରିବା ବାଧ୍ୟତାମୂଳକ । ତେବେ ଅନଲାଇନ ଏଫଆଇଆରକୁ ଅନୁମତି ଦେଲେ ସିଆରପିସିରେ ସଂଶୋଧନ କରିବା ଆବଶ୍ୟକ ପଡ଼ିବ । ତେବେ ଏ ସଂପର୍କରେ ବିଚାର କଲା ବେଳେ ଲ’ କମିଶନଙ୍କୁ ମିଳିଥିବା କେତେକ ମତାମତରେ କୁହାଯାଇଛି ଯେ ଅନଲାଇନ ଏଫଆଇଆରକୁ ଅନୁମତି ଦେଲେ ଏହାର ଅପ ବ୍ୟବହାର ହେବାର ଆଶଙ୍କା ରହିଛି । କେତେକ ଅନ୍ୟକୁ ବଦନାମ କରିବାକୁ ଏହାକୁ ବ୍ୟବହାର କରିପାରନ୍ତି । ଅନ୍ୟପକ୍ଷରେ ପୋଲିସ ଷ୍ଟେସନକୁ ଯାଇ ଏଫଆଇଆର ଦାଏର କରିବା ଅନେକ କ୍ଷେତ୍ରରେ କଷ୍ଟକର ହୋଇଥାଏ । ତେବେ ଏହାର ସକାରାତ୍ମକ ଦିଗଟି ହେଉଛି ପୁଲିସ ସାମନାରେ ଏଫଆଇଆର ଦେଲେ ଅନେକ ମିଛ କହିପାରନ୍ତି ନାହିଁ । କିନ୍ତୁ ଅନଲାଇନରେ ଏହା ରହିବ ନାହିଁ । ଏହିପରି ବିଭିନ୍ନ ଦିଗ ଉପରେ ଲ କମିଶନ ବିଚାର କରୁଛି ଓ ଖୁବ ଶୀଘ୍ର ସରକାରଙ୍କୁ ମତାମତ ଦେବ ।

ସମ୍ବନ୍ଧିତ ଖବର