କଶ୍ମୀର : ବିବିସି, ଅଲ୍‌-ଜଜିରାକୁ ନୋଟିସ୍‌ ଜାରି କଲେ ଭାରତ ସରକାର

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି । ବିଶ୍ୱ ସମୁଦାୟ ନିକଟରୁ କୌଣସି ସମର୍ଥନ ପାଇପାରିନଥିବା ପାକିସ୍ତାନ ଅସହାୟ ହୋଇ ଏବେ ଭାରତ ବିରୋଧରେ ମିଥ୍ୟା ପ୍ରଚାର ଆରମ୍ଭ କରିଛି । କିନ୍ତୁ ଦୁର୍ଭାଗ୍ୟଜନକ କଥା ହେଉଛି କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ଏହି ମିଥ୍ୟା ପ୍ରଚାର ଜାଲରେ ଫସିଯାଉଛନ୍ତି ଅଥବା ଜାଣିଶୁଣି ଭାରତ ବିରୋଧରେ ମିଥ୍ୟା ପ୍ରଚାର ଚଳାଇଛନ୍ତି । ଏସବୁ ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟରେ ରହିଛନ୍ତି ବିବିସି, ନ୍ୟୁୟର୍କ ଟାଇମ୍ସ ଓ ଅଲ ଜଜିରା ପରି ଲୋକପ୍ରିୟ ଗଣମାଧ୍ୟମ ସଂସ୍ଥା । ଏହାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ଭାରତ ସରକାର ।

କଶ୍ମୀରରେ ଏକ ବଡ଼ ଧରଣର ବିକ୍ଷୋଭ ହୋଇଥିବା ବିବିସି ଏକ ଭିଡିଓ ଦେଖାଇଥିଲା । ଅଲ ଜଜିରା ମଧ୍ୟ ଏପରି ଏକ ଭିଡିଓ ଦେଖାଇଥିଲା । ଏସବୁ ଗଣମାଧ୍ୟମକୁ ନୋଟିସ ଜାରି କରିଛନ୍ତି ଭାରତ ସରକାର । ନୋଟିସରେ କୁହାଯାଇଛି ଯେ ଭାରତ ସରକାରଙ୍କ ସୂଚନା ଅନୁସାରେ ଏପରି କୌଣସି ଘଟଣା ଘଟିନାହିଁ । ଯଦି ଘଟିଛି ବୋଲି ସଂପୃକ୍ତ ଚ୍ୟାନେଲ ମାନଙ୍କ ପାଖରେ ପ୍ରମାଣ ଅଥବା ର’ ଫୁଟେଜ ରହିଛି, ସେମାନେ ତାହା ସରକାରଙ୍କୁ ଦେଖାଇପାରିବେ । ଏହି ଭିଡିଓ ସତ ବୋଲି ବିବିସି ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଦାଖଲ କରାଯାଇନାହିଁ ।

ସମ୍ବନ୍ଧିତ ଖବର