ଶସ୍ତା ହେବ ଟିଭି, କ୍ୟାମେରା, ସିନେମା ଟିକଟ

୨୩ ସାମଗ୍ରୀରୁ ଜିଏସ୍‌ଟି କମିଲା

ନୂଆଦିଲ୍ଲୀ : ଆଉ ୨୩ଟି ସାମଗ୍ରୀ ଶସ୍ତା ହେବ। ଆଜି ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଗୁଡ଼ିକ ମଧ୍ୟରେ ୩୨ ଇଞ୍ଚ ପର୍ଯ୍ୟନ୍ତ ଟିଭି ସ୍କ୍ରିନ୍‌, ସିନେମା ଟିକଟ, କମ୍ପ୍ୟୁଟର, ପାୱାର ବ୍ୟାଙ୍କ, ଟାୟାର, ଡିଜିଟାଲ କ୍ୟାମେରା, ଭିଡିଓ କ୍ୟାମେରା ରେକର୍ଡର ଆଦି ରହିଛି। ଏହି ନିଷ୍ପତ୍ତି ଆସନ୍ତା ନୂଆବର୍ଷରୁ କାର୍ଯ୍ୟକାରୀ ହେବ। ଏଥିଯୋଗୁ ସରକାରଙ୍କୁ ବାର୍ଷିକ ପ୍ରାୟ ୫୫୦୦ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ ବୋଲି ପରିଷଦର ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସୂଚନା ଦେଇଛନ୍ତି।

୧୦୦ ଟଙ୍କା ପର୍ଯ୍ୟନ୍ତ ‌ମୂଲ୍ୟର ସିନେମା ଟିକଟ ଉପରେ ଜିଏସଟି ହାର ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଥିବା ବେଳେ ୧୦୦ ଟଙ୍କାରୁ ଊର୍ଧ୍ବ ମୂଲ୍ୟର ସିନେମା ଟିକଟ ଉପରୁ ଜିଏସଟି ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତ କରାଯାଇଛି। ସେହିଭଳି ପରିବହନ ଯାନର ତୃତୀୟ ପକ୍ଷ ବୀମା ପ୍ରିମିୟମକୁ ୧୮ ପ୍ରତିଶତରୁ ୧୨ ପ୍ରତିଶତରୁ କମାଇ ଦିଆଯାଇଛି। ମନିଟର, ଟେଲିଭିଜନ ସ୍କ୍ରିନ, ଟାୟାର, ଲିଥିୟମ ଆୟନ ବ୍ୟାଟେରିର ପାୱାର ବ୍ୟାଙ୍କ ଉପରୁ ଜିଏସଟି ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି। ଜିଏସଟିର ସର୍ବୋଚ୍ଚ ଟିକସ ସୀମା ୨୮% ବର୍ଗରେ ଥିବା ୩୫ଟି ସାମଗ୍ରୀ ମଧ୍ୟରୁ ୭ଟି କାଢ଼ି ଦିଆଯାଇଛି। ଫଳରେ ୨୮ ପ୍ରତିଶତ ଟିକସ ବର୍ଗରେ ଏବେ ୨୮ଟି ସାମଗ୍ରୀ ରହିଛି। ଏତଦ୍‌ବ୍ୟତୀତ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତାଧାରୀଙ୍କୁ ଯୋଗାଇ ଦିଆଯାଉଥିବା ସେବାକୁ ଟିକସମୁକ୍ତ କରାଯାଇଛି। ଧାର୍ମିକ କାର୍ଯ୍ୟରେ ବିମାନ ଯାତ୍ରା କରୁଥିଲେ ଏବେ ୧୮% ଜିଏସଟି ଆଦାୟ କରାଯାଉଛି। ଏହି ଟିକସ ହାରକୁ ବିଜ୍‌ନେସ୍ ଶ୍ରେଣୀର ଯାତ୍ରୀଙ୍କ ପାଇଁ ୧୮ରୁ ୧୨%କୁ ଏବଂ ଇକୋନୋମି ଶ୍ରେଣୀର ଯାତ୍ରୀଙ୍କ ପାଇଁ ୧୮ରୁ ୫%କୁ ହ୍ରାସ କରାଯାଇଛି।

ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ ଶ୍ରୀ ଜେଟଲି କହିଛନ୍ତି, ଟିକସ ପରବର୍ତ୍ତନ ପ୍ରକ୍ରିୟା ଜାରି ରହିଛି। ୨୮ ପ୍ରତିଶତ ଟିକସ ବର୍ଗରୁ ପ୍ରାୟ ସବୁ ସାମଗ୍ରୀକୁ କାଢ଼ି ନିଆଯିବା ଯୋଜନା ରହିଛି। ଜେଟ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଜିଏସଟି ପରିଷଦ ବୈଠକରେ ସିମେଣ୍ଟ ଉପରୁ ସରକାର ଜିଏସଟି ହାର ହ୍ରାସ କରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ତାହା କରିନାହାନ୍ତି। ଆଗାମୀ ଦିନରେ ଏ ନେଇ ସମ୍ଭାବନା ରହିଛି। ଏବେ କେବଳ କେତେକ ବିଳାସପୂର୍ଣ୍ଣ ଏବଂ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସାମଗ୍ରୀକୁ ୨୮ ପ୍ରତିଶତ ଟିକସ ବର୍ଗରେ ରଖାଯାଇଛି।

ସମ୍ବନ୍ଧିତ ଖବର