ନୂଆଦିଲ୍ଲୀ: ଜାନୁଆରି ୧୭ ତାରିଖରେ ହେବାକୁ ନିର୍ଦ୍ଧାରିତ ହୋଇଥିବା ଜାତୀୟ ପୋଲିଓ ଟିକାକରଣ ଅଭିଯାନକୁ କେନ୍ଦ୍ର ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅଧିକାରୀମାନଙ୍କସୂତ୍ରରୁ ଜଣାପଡ଼ିଛି।
ଜାନୁଆରି ୧୬ ତାରିଖ ଶନିବାର ଦିନ ଦେଶରେ କୋଭିଡ୍-୧୯ ଟିକାକରଣ ଅଭିଯାନ ଆରମ୍ଭ ହେଉଥିବାରୁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି। ପ୍ରତିବର୍ଷ ଜାନୁଆରିରେ ଆରମ୍ଭ ହୋଇ ବର୍ଷର ଦ୍ୱିତୀୟାର୍ଦ୍ଧରେ ଶେଷ ହେଉଥିବା ପୋଲିଓ ଟିକାକରଣ ଓ କୋଭିଡ୍-୧୯ ଟିକାକରଣ ପାଖାପାଖି ପଡୁଥିବାରୁ ପରିଚାଳନାଗତ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।

ବର୍ତ୍ତମାନ ପାଇଁ ପୋଲିଓ ଟିକାରକରଣ ସ୍ଥଗିତ ରଖିବାକୁ ଗତ ସପ୍ତାହରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଟିକାକରଣ ବିଭାଗ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି ଜଣାଇଥିଲା।
ପରବର୍ତ୍ତୀ ନୋଟିସ୍ ପାଇବାଯାଏଁ ପୋଲିଓ ଟିକାକରଣ ସ୍ଥଗିତ ରଖିବାକୁ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ଓ ଜନକଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କ ପାଖକୁ ଜାନୁଆରି ୯ ତାରିଖ ଦିନ ଏହି ଚିଠି ଜାରି କରାଯାଇଥିଲା।
କିନ୍ତୁ, ଏହି ସ୍ଥଗିତାଦେଶ ସାମୟିକ। କୋଭିଡ୍-୧୯ ଟିକାକରଣ କଥା ବୁଝା ସରିବା ପରେ ପରେ ପୋଲିଓ ଟିକାକରଣ ଆରମ୍ଭ ହେବ।