ରିହାତି ଖାଦ୍ୟଶସ୍ୟ ପାଇଁ ଆଧାର ସଂଯୋଗ ଶେଷ ତାରିଖ ସେପ୍ଟେମ୍ବର ୩୦କୁ ବୃଦ୍ଧି

ନୂଆଦିଲ୍ଲୀ : ପ୍ୟାନ କାର୍ଡ ସହ ଆଧାର ସଂଯୋଗର ଶେଷ ତାରିଖ ଆଜି ସମାପ୍ତ ହୋଇଯାଇଥିବାବେଳେ ଏହାକୁ ସରକାର ଆଉ ବଢାଇନାହାନ୍ତି । କିନ୍ତୁ କଣ୍ଟ୍ରୋଲ ଦୋକାନରୁ ରିହାତି ଦରରେ ଖାଦ୍ୟଶସ୍ୟ ପାଇବା ଲାଗି ଆଧାର ଦାଖଲ କରିବାର ଶେଷ ତାରିଖକୁ ସରକାର ବଢାଇଦେଇଛନ୍ତି । ପୂର୍ବରୁ ଏଥିପାଇଁ ଶେଷ ତାରିଖ ୩୦ ଜୁନ ରଖାଯାଇଥିବାବେଳେ ତାହାକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢାଇଦିଆଯାଇଛି । ଏ ସଂପର୍କରେ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ଶେଷତାରିଖ ସଂପ୍ରସାରଣ ଆସାମ, ଜାମ୍ମୁ ଓ କାଶ୍ମୀର ଓ ମେଘାଳୟ ପାଇଁ ଲାଗୁ ହେବ ନାହିଁ । ୨୦୧୭ ଫେବ୍ରୁଆରୀ ମାସରେ ସରକାର କଣ୍ଟ୍ରୋଲ ଦୋକାନରୁ ରିହାତି ଦରରେ ଖାଦ୍ୟଶସ୍ୟ ପାଇବା ପାଇଁ ଆଧାର ସିଡିଂ ବାଧ୍ୟତାମୂଳକ କରିଥିଲେ । ଖାଦ୍ୟ ସବସୀଡି ପାଇଁ ସରକାର ଖର୍ଚ୍ଚ କରୁଥିବା ପ୍ରାୟ ୧.୪ ଲକ୍ଷ କୋଟି ଟଙ୍କା ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ତାହା ନିଶ୍ଚିତ କରିବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ସରକାର ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଖାଦ୍ୟଶସ୍ୟ ୧-୩ ଟଙ୍କା ଦରରେ ପ୍ରଦାନ କରୁଛନ୍ତି ।

ସମ୍ବନ୍ଧିତ ଖବର