ନୂଆଦିଲ୍ଲୀ : ଲକଡାଉନ ୫.୦କୁ ନେଇ ଅନେକ ଆଲୋଚନା ଚାଲୁଥିବା ବେଳେ ଆଜି ଏହାର ଅବସାନ ଘଟିଛି | ଜୁନ ୩୦ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ାଇଛନ୍ତି କେନ୍ଦ୍ର ସରକାର | ତେବେ ଲକଡାଉନର ଏହି ପଞ୍ଚମ ପର୍ଯ୍ୟାୟରେ ଅନେକ କଟକଣାକୁ ସରକାର କୋହଳ କରିଥିବା ଜଣାପଡିଛି | ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ସମସ୍ତ କାର୍ଯ୍ୟକଳାପକୁ ପର୍ଯ୍ୟାୟକ୍ରମେ ପୁନଃ ପ୍ରଚଳନ କରିବାକୁ ଅନୁମତି ଦିଆଯାଇଛି | ଏହି ନିର୍ଦ୍ଦେଶାବଳୀ ଜୁନ୍ ୧ଠାରୁ ଜୁନ୍ ୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ପୂର୍ବରୁ ନିଷେଧ କରାଯାଇଥିବା ସମସ୍ତ କାର୍ଯ୍ୟକଳାପଗୁଡିକ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେସ୍ (ଏସଓପି)ର ସର୍ତ୍ତ ଅନୁଯାୟୀ ପର୍ଯ୍ୟାୟକ୍ରମେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ଖୋଲାଯିବ |
ପ୍ରଥମ ପର୍ଯ୍ୟାୟରେ ସର୍ବସାଧାରଣ ସ୍ଥାନ, ହୋଟେଲ, ରେଷ୍ଟୁରାଣ୍ଟ, ଅନ୍ୟାନ୍ୟ ଆତିଥ୍ୟ ସେବା ଏବଂ ସପିଂ ମଲ୍, ଧାର୍ମିକ ସ୍ଥାନ ଏବଂ ପୂଜାପାଠ ସ୍ଥାନଗୁଡିକ ଜୁନ୍ ୮ରୁ ଖୋଲିବାକୁ ଅନୁମତି ଦିଆଯିବ | କେନ୍ଦ୍ରୀୟ ମନ୍ତ୍ରାଳୟ/ ବିଭାଗ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ପରାମର୍ଶ କରି ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ଏବଂ କୋଭିଡ -୧୯ର ପ୍ରସାର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଉପରୋକ୍ତ କାର୍ଯ୍ୟକଳାପ ପାଇଁ ଏସଓପି ଜାରି କରିବ |
/sambad/media/post_attachments/4142e30c55a36557b4f2dec035ee8c855e0b4469414ad03a489c8fa6cd742370.jpg)
ଦ୍ୱିତୀୟ ପର୍ଯ୍ୟାୟରେ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହିତ ପରାମର୍ଶ ପରେ ବିଦ୍ୟାଳୟ, କଲେଜ, ଶିକ୍ଷାନୁଷ୍ଠାନ / ତାଲିମ / କୋଚିଂ ଅନୁଷ୍ଠାନ ଇତ୍ୟାଦି ଖୋଲାଯିବ | ଅଭିଭାବକ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ଅନୁଷ୍ଠାନିକ ସ୍ତରରେ ପରାମର୍ଶ ନେବାକୁ ରାଜ୍ୟ ସରକାର / କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ମତାମତକୁ ଆଧାର କରି ଜୁଲାଇ ମାସରେ ଏହି ଅନୁଷ୍ଠାନଗୁଡ଼ିକର ପୁନଃ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଅନୁଷ୍ଠାନଗୁଡିକ ପାଇଁ ଏସଓପି ପ୍ରସ୍ତୁତ କରିବ |
ତୃତୀୟ ପର୍ଯ୍ୟାୟରେ, ପରିସ୍ଥିତିର ମୂଲ୍ୟାଙ୍କନକୁ ଆଧାର କରି ଉପରୋକ୍ତ କାର୍ଯ୍ୟକଳାପ ଖୋଲିବାର ତାରିଖ ସ୍ଥିର ହେବ | ତଥାପି, କଣ୍ଟେନମେଣ୍ଟ ଜୋନରେ ଲକ୍ଡାଉନ୍ କଠୋର ଭାବେ ଲାଗୁ ହେବ | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ବିଚାରକୁ ନେବା ପରେ କଣ୍ଟେନମେଣ୍ଟ ଜୋନ୍ ଗୁଡିକ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ୱାରା ପୃଥକ କରାଯିବ। କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ କଠୋର ପରିସୀମା ନିୟନ୍ତ୍ରଣ ବଜାୟ ରହିବ ଏବଂ କେବଳ ଜରୁରୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ |