ଡାକ୍ତରଙ୍କୁ ପ୍ରଲୋଭିତ କରି ବିକ୍ରି ବଢାଇଥିଲା ‘ଡୋଲୋ-୬୫୦’ ଉତ୍ପାଦନକାରୀ କମ୍ପାନି

ନୂଆଦିଲ୍ଲୀ : ଲୋକପ୍ରିୟ ପାରାସିଟାମଲ ବଟିକା ଡୋଲୋ-୬୫୦ ଉତ୍ପାଦନ କରୁଥିବା କମ୍ପାନି ମାଇକ୍ରୋ ଲାବ୍ସ ବିରୋଧରେ ଆୟକର ବିଭାଗର ତଦନ୍ତ ଜାରି ରହିଛି । ତଦନ୍ତରୁ ଜଣାପଡ଼ିଛି ଯେ ଏହି କମ୍ପାନି ନିଜର ବିକ୍ରି ବଢାଇବାକୁ କେତେକ ଅସାଧୁ ଉପାୟ ଅବଲମ୍ବନ କରିଥିଲା ।

ଡାକ୍ତରମାନଙ୍କୁ ବିଭିନ୍ନ ପ୍ରକାରର ଉପହାର ତଥା ସୁବିଧା ସୁଯୋଗ ପ୍ରଦାନ କରି ପ୍ରଲୋଭିତ କରିବାକୁ ଏହି କମ୍ପାନି ପ୍ରାୟ  ୧୦୦୦ କୋଟି ଟଙ୍କା ବ୍ୟୟ କରିଥିଲା । ଏହାର ପ୍ରତିବଦଳରେ ଡାକ୍ତର ଓ ମେଡିକାଲ ପ୍ରଫେସନାଲମାନେ କମ୍ପାନିର ପ୍ରଡକ୍ଟ ବ୍ୟବହାର ପାଇଁ ଲୋକମାନଙ୍କୁ ପ୍ରେତ୍ସାହିତ କରୁଥିଲେ ।

ଏପରି ସାଂଘାତିକ କଥା ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କ ଫାର୍ମାସୁଟିକାଲ ବିଭାଗ ପକ୍ଷରୁ ଏହାର ଅଧିକ ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି । ପୁଣି ଏହି ତଦନ୍ତରେ ଯେଉଁ ଡାକ୍ତରମାନଙ୍କ ନାଁ ଉଠିଛି ସେମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ଫାର୍ମାସୁଟିକାଲ ବିଭାଗର ଏଥିକ୍ସ କମିଟିକୁ ପ୍ରେରଣ କରାଯାଇଛି ।

କରୋନା ମହାମାରୀ ସମୟରେ ପାରାସିଟାମଲ ବଟିକା ‘ଡୋଲୋ-୬୫୦’  ସାରା ଦେଶରେ ବେଶ ଲୋକପ୍ରିୟ ହୋଇଯାଇଥିଲା । ଏହି ବଟିକା ଏତେ ଲୋକପ୍ରିୟ ହୋଇଯାଇଥିଲା ଯେ ପାରାସିଟାମଲ କହିଲେ ଲୋକେ ଡୋଲୋ-୬୫୦କୁ ବୁଝୁଥିଲେ । ପ୍ରବଳ ବିକ୍ରି ଯୋଗୁଁ ମାତ୍ର ଦୁଇ ବର୍ଷ ମଧ୍ୟରେ ଏହି ବଟିକା ଉତ୍ପାଦନ କରୁଥିବା କମ୍ପାନି ମାଇକ୍ରୋ ଲାବ୍ସ ଲିଃ ମାଲାମାଲ ହୋଇଯାଇଥିଲା । ୨୦୨୦ରୁ ଏପର୍ଯ୍ୟନ୍ତ କମ୍ପାନି ପ୍ରାୟ ୩୫୦ କୋଟି ଡୋଲୋ-୬୫୦ ବଟିକା ବିକ୍ରି କରି ପ୍ରାୟ ୪୦୦ କୋଟିର ରାଜସ୍ବ ସଂଗ୍ରହ କରିଥିଲା ଓ ପୂର୍ବର ସବୁ ରେକର୍ଡ ଭାଙ୍ଗି ଦେଇଥିଲା ।

ସମ୍ବନ୍ଧିତ ଖବର