ଇସ୍ରାଏଲର ଏନଏସଓ ଗ୍ରୁପ ସହିତ କୌଣସି କାରବାର କରାଯାଇନାହିଁ : ସଂସଦରେ ପ୍ରତିରକ୍ଷା ମନ୍ତ୍ରାଳୟର ବୟାନ

ନୂଆଦିଲ୍ଲୀ : ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ସଂସଦରେ ବୟାନ ରଖାଯାଇଛି । ଏହି ସଫ୍ଟଓ୍ବାର ନିର୍ମାଣ କରୁଥିବା ଇସ୍ରାଏଲର ଏନଏସଓ ଗ୍ରୁପ ସହିତ କୌଣସି କାରବାର କରାଯାଇ ନାହିଁ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ରଖାଯାଇଛି ।

ରାଜ୍ୟସଭା ସଦସ୍ୟ ଡଃ. ଭି. ଶିବଦାସନଙ୍କ ଦ୍ବାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରାଳୟ ପକ୍ଷରୁ ଏହି ବୟାନ ରଖାଯାଇଛି । ସରକାର ଏନଏସଓ କମ୍ପାନି ସହିତ କୌଣସି କାରବାର କରିଥିଲେ କି ବୋଲି ଶିବଦାସନ ପଚାରିଥିଲେ ।

ତେବେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଉତ୍ତର ରଖାଯାଇଥିବାବେଳେ ଗୃହ ମନ୍ତ୍ରାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କିମ୍ବା କ୍ୟାବିନେଟ୍ ସେକ୍ରେଟାରିଏଟ୍ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ବୟାନ ଦିଆଯାଇ ନାହିଁ । ଏସବୁ ମନ୍ତ୍ରାଳୟ ଅଧିନରେ ଥିବା କେତେକ ଏଜେନ୍ସି ମଧ୍ୟ ଗୁଇନ୍ଦା କାମ କରିଥାନ୍ତି । ତେବେ ପୂର୍ବରୁ କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଏହି ଗୁଇନ୍ଦାଗିରି କରାଯାଇଥିବା କଥା ଅସ୍ବୀକାର କରିଥିଲେ । ଭାରତରେ ଏପରି କରିବା ସମ୍ଭବ ନୁହେଁ ବୋଲି ସେ କହିଥିଲେ ।

ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ବିରୋଧୀ ଦଳ କ୍ରମାଗତ ଭାବେ ସରକାରଙ୍କୁ ଟାର୍ଗେଟ୍ କରିବା ସହ ସଂସଦରେ ହଟ୍ଟଗୋଳ କରୁଛନ୍ତି ।

ସମ୍ବନ୍ଧିତ ଖବର