ସରକାର ଓ କୃଷକଙ୍କ ମଧ୍ୟରେ ଏକାଦଶ ପର୍ଯ୍ୟାୟ ବୈଠକ ବିଫଳ: ଆଉ ଆଲୋଚନା ହେବ ନାହିଁ; ସରକାରଙ୍କ ପ୍ରସ୍ତାବ ମାନିଲେ ହିଁ ହେବ ବୈଠକ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ସମାଧାନ ପାଇଁ ଆଜି (ଶୁକ୍ରବାର) କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆୟୋଜିତ ହୋଇଥିବା ଏକାଦଶ ପର୍ଯ୍ୟାୟ ବୈଠକ ମଧ୍ୟ ବିଫଳ ହୋଇଛି। ଆଜିର ବୈଠକରେ କେନ୍ଦ୍ର ସରକାର ସଙ୍କେତ ଦେଇଛନ୍ତି ଯେ ଆଲୋଚନା ଠାରୁ ଦୂରେଇ ଯିବାକୁ ସରକାର ପ୍ରସ୍ତୁତ ଏବଂ କୃଷକମାନେ ସରକାରଙ୍କର ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଚାହିଁଲେ ହିଁ ପରବର୍ତ୍ତୀ ବୈଠକ ଆୟୋଜିତ ହେବ।

ନିଜର ଆଭିମୁଖ୍ୟକୁ କଠୋର କରି ସରକାର ଆଜିର ବୈଠକରେ କହିଥିଲେ ଯେ ଆଇନର କାର୍ଯ୍ୟକାରିତାକୁ ୧୮ ମାସ ପର୍ଯ୍ୟନ୍ତ ରଖିବା ହେଉଛି ସରକାରଙ୍କର ସର୍ବୋତ୍ତମ ତଥା ଶେଷ ପ୍ରସ୍ତାବ ଏବଂ ଆଇନରେ କୌଣସି ସମସ୍ୟା ନାହିଁ ବୋଲି କହି ଚାଷୀମାନଙ୍କୁ ଏହି ପ୍ରସ୍ତାବର ପୁନର୍ବିଚାର କରିବାକୁ କହିଥିଲେ।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଥିଲେ ଯେ କୃଷକ ସଂଗଠନ ଓ କୃଷକ ନେତାମାନେ ଯଦି ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ହେଲେ ହିଁ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ।  ଆମେ ଆପଣଙ୍କର ଚିନ୍ତାଧାରା ଅନୁସାରେ ସମାଧାନ କରିବାକୁ ପ୍ରଚେଷ୍ଟା କରିଥିଲୁ, କାରଣ ଆମ ପ୍ରସ୍ତାବରେ କିଛି ଭୁଲ୍‌ ନ ଥିଲା। ଆମେ ଆପଣଙ୍କୁ ସର୍ବୋତ୍ତମ ପ୍ରସ୍ତାବ ଦେଇଛୁ। ଦୁର୍ଭାଗ୍ୟବଶତଃ ଆପଣ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହୁଛନ୍ତି। ତେଣୁ, ଯଦି ଆପଣ ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଚାହାଁନ୍ତି ତେବେ ଯାଇ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କର ତିନିଟି କୃଷି ସଂସ୍କାର ଆଇନକୁ ବିରୋଧ କରୁଥିବା କୃଷକମାନେ ଗୁରୁବାର ଦିନ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବକୁ ଦେଢ଼଼ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ କରିବା ପ୍ରସ୍ତାବ ଦିଆ ଯାଇଥିଲା। ହେଲେ, କୃଷକମାନେ ଏହାକୁ ପ୍ରତ୍ୟାଖ୍ୟାନ କରଥିଲେ ଏବଂ ଏହି ତିନିଟି ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର