ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ, ମୋବାଇଲ

ମୋବାଇଲ୍ ଉପରେ ୧୮% ଜିଏସ୍‌ଟି, ତେଲ ଉତ୍ପାଦନ ଶୁଳ୍କ ୩ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ସକାଳେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ଲିଟର ପିଛା ୩ ଟଙ୍କା ବଢ଼ାଇ ଥିବା‌ ବେଳେ ସନ୍ଧ୍ୟାରେ ଜିଏସ୍‌ଟି ପରିଷଦର ୩୯ତମ ବୈଠକରେ ମୋବାଇଲ ଫୋନ୍ ଉପରେ ଟିକସକୁ ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। ଫଳରେ ଅଶୋଧିତ ତେଲ ଦର ହ୍ରାସର ଲାଭ ଗ୍ରାହକମାନଙ୍କୁ ଯାହା ମିଳୁଥିଲା ତା‌ହା ଏବେ ମିଳିବ ନାହିଁ। ସେହିଭଳି ମୋବାଇଲ ଫୋନ୍ ବି ମହଙ୍ଗା ହୋଇଯିବ। ଆସନ୍ତା ଏପ୍ରିଲ ପହିଲାରୁ ବର୍ଦ୍ଧିତ ଜିଏସ୍‌ଟି ଲାଗୁ ହେବ। ଫଳରେ ଆସନ୍ତା ଏପ୍ରିଲ ପହିଲାରୁ ଗ୍ରାହକଙ୍କୁ ମୋବାଇଲ ଫୋନ୍ କିଣିବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଉଥିବାବେଳେ ସରକାର ଏହି ମଉକାରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ସ୍ବତନ୍ତ୍ର ଉତ୍ପାଦନ ଶୁଳ୍କ ଲିଟର ପିଛା ୨ ଟଙ୍କା ଲେଖାଏଁ ବଢ଼ାଇଥିବା ବେଳେ ରାସ୍ତା ସେସ୍‌ ବାବଦରେ ଟଙ୍କାଏ ଲେଖାଏଁ ବଢ଼ାଇଛନ୍ତି। ଫଳରେ ଗ୍ରାହକମାନେ ପେଟ୍ରୋଲ ଏବଂ ଡିଜେଲ ଉପରେ ଯେଉଁ ୩ ଟଙ୍କାର ମୂଲ୍ୟ ହ୍ରାସର ଲାଭ ପାଇଥାନ୍ତେ ତାହାକୁ କେନ୍ଦ୍ର ସରକାର ମାଡ଼ି ବସିଛନ୍ତି। ଶୁଳ୍କ ବୃଦ୍ଧି କରି ସରକାର ଏ ବାବଦରେ ବାର୍ଷିକ ୩୯ ହଜାର କୋଟି ଟଙ୍କା ସଂଗ୍ରହ କରିବେ ବୋଲି ଆକଳନ କରାଯାଉଛି।

ସରକାର ଶୁଳ୍କ ବଢ଼ାଇ ଥିଲେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ଦର ପ୍ରଭାବିତ ହେବ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବିଭାଗ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ପେଟ୍ରୋଲ ଏବଂ ଡିଜେଲ ଉପରେ ସ୍ବତନ୍ତ୍ର ଉତ୍ପାଦନ ଶୁଳ୍କ ୨ ଟଙ୍କା ଲେଖାଏଁ ବୃଦ୍ଧି କରିବା ଦ୍ବାରା ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୬ ଟଙ୍କାରୁ ୮ ଟଙ୍କାକୁ ଏବଂ ଡିଜେଲ ଉପରେ ୨ ଟଙ୍କାରୁ ୪ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହିତ ରାସ୍ତା ସେସ୍ ୧ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ପେଟ୍ରୋଲ ଏବଂ ଡିଜେଲ ଉପରେ ରାସ୍ତା ସେସ୍‌ ୧୦ ଟଙ୍କାକୁ ବୃଦ୍ଧି ପାଇଛି। ଏସବୁ କାରଣରୁ ପେଟ୍ରୋଲ ଉପରେ ‌ଉତ୍ପାଦନ ଶୁଳ୍କ ବୃଦ୍ଧି ଜନିତ ରାଶି ୨୨ ଟଙ୍କା ୯୮ ପଇସାକୁ ଏବଂ ଡିଜେଲ ଉପରେ ୧୮ ଟଙ୍କା ୮୩ ପଇସାକୁ ବୃଦ୍ଧି ପାଇଛି।

ମୋଦୀ ସରକାର ୨୦୧୪ରେ ପ୍ରଥମେ କ୍ଷମତାକୁ ଆସିବା ପରେ ପେଟ୍ରୋଲ ଉପରେ ଟିକସ ବୋଝ ଲିଟର ପିଛା ୯ ଟଙ୍କା ୪୮ ପଇସା ଥିବାବେଳେ ଡିଜେଲ ଉପରେ ଏହା ୩ ଟଙ୍କା ୫୬ ପଇସା ରହିଥିଲା। ଉତ୍ପାଦନ ଶୁଳ୍କ ଏବଂ ରାସ୍ତା ସେସ୍‌ ବାବଦ ରାଶି ବୃଦ୍ଧି ଫଳରେ ସରକାର ବର୍ଷକୁ ୩୯ ହଜାର କୋଟି ଟଙ୍କା ରାଜସ୍ବ ପାଇବାକୁ ଥିବାବେଳେ ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ଥିବାରୁ ଏ ବାବଦରେ ସରକାରଙ୍କୁ ୨ ହଜାର କୋଟି ଟଙ୍କାରୁ କମ୍ ଟିକସ ମିଳିବ।

ସମ୍ବନ୍ଧିତ ଖବର