ରବି ଫସଲର ଏମଏସପି ବୃଦ୍ଧି କରିପାରନ୍ତି ସରକାର, ଘୋଷଣା ଖୁବ ଶୀଘ୍ର

ନୂଆଦିଲ୍ଲୀ : ନୂଆ କୃଷିନୀତିକୁ ନେଇ ସାରା ଦେଶରେ ବିରୋଧୀଦଳ ଓ କୃଷକମାନେ ବିରୋଧ କରୁଥିବାବେଳେ କେନ୍ଦ୍ର ସରକାର ୨୦୨୧-୨୨ ବର୍ଷ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଏ ସଂପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଂଜୁରୀ ଦେଇସାରିଛି ଓ ଖୁବଶୀଘ୍ର ସରକାରୀ ଭାବେ ଏ ସଂପର୍କରେ ଘୋଷଣା କରାଯିବ ।

ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ରବି ଏମଏସପି ବୃଦ୍ଧି ପ୍ରସ୍ତାବରେ ମୋହର ମରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଗହମ, ମସୁର, ସୂର୍ଯ୍ୟମୁଖୀ, ବାର୍ଲି, ସୋରିଷ, ବୁଟ ଆଦି ଫସଲ କରୁଥିବା ଚାଷୀମାନେ ଉପକୃତ ହେବାର ସମ୍ଭାବନା ରହିଛି । ଆଜି ସଂଧ୍ୟାରେ ସରକାର ଏହି ନିଷ୍ପତ୍ତି ଘୋଷଣା କରିବାର ସମ୍ଭାବନା ରହିଛି ।
ଗତକାଲି ରାଜ୍ୟସଭାରେ କୃଷି ସମ୍ପର୍କିତ ୨ଟି ବିଲ-କୃଷି ଉତ୍ପାଦ ବିପଣନ ଓ ବଣିଜ (ପ୍ରେତ୍ସାହନ ) ବିଲ ୨୦୨୦ ଓ କୃଷକ (ସଶକ୍ତିକରଣ ଓ ସୁରକ୍ଷା) ବିଲ ୨୦୨୦ ବିରୋଧୀ ଦଳଙ୍କ ପ୍ରବଳ ବିରୋଧ ମଧ୍ୟରେ ଗୃହୀତ ହୋଇଥିଲା । ଏହି ବିଲକୁ ନେଇ ରାଜ୍ୟସଭାରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ ଆଦମି ପାର୍ଟି, ଡିଏମକେ, ଏନଡିଏ ସହଯୋଗୀ ଆକାଳୀ ଦଳ ପ୍ରମୁଖ ବିରୋଧ କରିଥିଲେ । କେତେକ ବିଶୃଙ୍ଖଳିତ ସଦସ୍ୟଙ୍କ ବିରୋଧରେ ଆଜି ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କିଆ ନାଇଡୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ସମ୍ବନ୍ଧିତ ଖବର