ଆଶା ସହାୟିକାଙ୍କ ଗସ୍ତ ପାଉଣା ୩୦୦ ଟଙ୍କାକୁ ବୃଦ୍ଧି କଲେ ସରକାର, ମାସକୁ ହାରାହାରି ୬ ହଜାର ପାଇବେ

କନକ ବ୍ୟୁରୋ:  ଦେଶର ହଜାର ହଜାର ଆଶା ସହାୟିକାଙ୍କ ପାଇଁ ଦିପାବଳୀ ଉପହାର ଦେଇଛନ୍ତି ମୋଦି ସରକାର । ଗତ ସେପ୍ଟେମ୍ବର ମାସରେ ଆଶା କର୍ମୀଙ୍କ ପାଉଣା ବଢାଇଥିବା କେନ୍ଦ୍ର ସରକାର ଆଜି ଆଶା ସହାୟକ ମାନଙ୍କର ଗସ୍ତ ପାଉଣା ବଢାଇଛନ୍ତି ।  ଆଶା ସହାୟିକା କର୍ମୀଙ୍କ ଗସ୍ତ ପାଉଣା ପୂର୍ବରୁ ଥିଲା ୨୫୦ ଯାହା ଏବେ ୩ଶହ ଟଙ୍କାକୁ ବୃଦ୍ଧି ହୋଇଛି ।  ପୂର୍ବରୁ ପ୍ରତି ମାସରେ ୨୦ଟି ଗସ୍ତ ପାଇଁ ଆଶା କର୍ମୀଙ୍କୁ ୫ ହଜାର ଟଙ୍କା ପାଉଥିଲେ । କିନ୍ତୁ ଏହି  ବୃଦ୍ଧି  ପରେ ଏବେ ପ୍ରତିମାସକୁ ୨୦ ଟି ଗସ୍ତ ପାଇଁ  ଆଶାକର୍ମୀମାନେ ୬ ହଜାର ଟଙ୍କା ପାଇବେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ  ପ୍ରତି ୧୦ରୁ ୨୫ ଜଣ ଆଶା କର୍ମୀଙ୍କ ପାଇଁ ଜଣେ ଆଶା ସହାୟିକା ଥାନ୍ତି । ଏମାନେ ଆଶାକର୍ମୀଙ୍କ କାର୍ଯ୍ୟର ତଦାରଖ କରିବା ସହ ଆବଶ୍ୟକ ସହାୟତା ପ୍ରଦାନ କରିଥାନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶର ପ୍ରାୟ ୪୧ ହଜାର ୪୦୫ ଜଣ ଆଶା ସହାୟିକା ଉପକୃତ ହେବେ । ସରକାର ଗତ ସେପ୍ଟେମ୍ବର ମାସରେ ଆଶା କର୍ମୀଙ୍କ ପାଉଣା ଦୁଇଗୁଣ କରିଥିଲେ ।

ସମ୍ବନ୍ଧିତ ଖବର