ଆମ୍ବେଦକରନଗର: ସରକାର ‘ଜୋମାଟୋ’ ସେବା ଯୋଗାଉ ନାହାନ୍ତି ବୋଲି ବନ୍ୟା ପ୍ରଭାବିତ ଉତ୍ତର ପ୍ରଦେଶର ଆମ୍ବେଦକରନଗର ଜିଲ୍ଲାବାସୀଙ୍କୁ କହି ଜିଲ୍ଲାପାଳ ସାମୁଏଲ୍ ପାଲ୍ ତୀବ୍ର ସମାଲୋଚନାର ସରବ୍ୟ ହୋଇଛନ୍ତି।
ଘାଗରା ନଦୀରେ ଆସିଥିବା ବନ୍ୟା ଯୋଗୁଁ ପ୍ରଭାବିତ ସ୍ଥାନୀୟ ଜନତାଙ୍କୁ ସରକାରୀ ରିଲିଫ୍ ଓ ସହାୟତା ପ୍ରସଙ୍ଗରେ ବୁଝାଇ କହିବା ବେଳେ ସେ କହିଥିଲେ, ଏଠାରେ ଆପଣମାନଙ୍କ ରହିବା ନିମନ୍ତେ ‘ବନ୍ୟା ରିଲିଫ୍ ଶିବିର’ ବ୍ୟବସ୍ଥା କରାଯାଇଛି। ଆମେ ଆପଣମାନଙ୍କୁ ‘କ୍ଲୋରିନ୍’ ବଟିକା ଦେବୁ। ଯଦି ଆପଣ ଅସୁସ୍ଥ ହୁଅନ୍ତି, ଡାକ୍ତର ଏଠାକୁ ଆସି ଆପଣଙ୍କୁ ଦେଖିଯିବେ। ଏହା ହେଉଛି ବନ୍ୟା ରିଲିଫ୍ ଶିବିରର ଉଦ୍ଦେଶ୍ୟ।
ଆପଣମାନ ଘରେ ରହିଲେ, ଆମେ କ’ଣ ଭୋଜନ ପଠାଇବୁ? ସରକାର ‘ଜୋମାଟୋ’ ସେବା ଯୋଗାଉ ନାହାନ୍ତି ବୋଲି ସେ କହିଥିଲେ।
ସେ ପୁଣି କହିଥିଲେ, ପ୍ରତି ୫୦୦ ମିଟର୍ ଅଥବା ୧ କିଲୋମିଟର୍ ଦୂରତାରେ ବନ୍ୟା ରିଲିଫ୍ ଶିବିର ପଡ଼ିଛି। ସେଠାରେ ଶୌଚାଳୟ, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା ଶିବିର ଏବଂ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ତଳିଆ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ଅନୁରୋଧ ସେମାନେ ବନ୍ୟା ରିଲିଫ୍ ଶିବିରକୁ ଚାଲି ଆସନ୍ତୁ। ଏହା ବ୍ୟତିରେକେ, ଶିବିରରେ ରିଲିଫ୍ କିଟ୍ ମଧ୍ୟ ବଣ୍ଟନ କରାଯାଉଛି।
ସାମୁଏଲ୍ ପାଲ୍ଙ୍କର ଉପରୋକ୍ତ ପରାମର୍ଶ ଓ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ବନ୍ୟା ପ୍ରପୀଡ଼ିତ ଜନତାଙ୍କୁ ଭୋଜନ ଯୋଗାଇ ଦେବା ପାଇଁ ସରକାର ‘ଜୋମାଟୋ’ ସେବା ଯୋଗାଉ ନ ଥିବା ଭଳି ତାଚ୍ଛଲ୍ୟକର ମନ୍ତବ୍ୟ ଦେଇଥିବାରୁ ସମ୍ପ୍ରତି ସାମୁଏଲ୍ ପାଲ୍ ତୀବ୍ର ସମାଲୋଚିତ ହେଉଛନ୍ତି। ଅନେକେ ଲେଖିଛନ୍ତି, କେତେ ଜଣ ଦରିଦ୍ର ଲୋକ ଖାଦ୍ୟ ଯୋଗାଣ ସେବା ବିଷୟରେ ଜାଣନ୍ତି? ଏଭଳି ବ୍ୟକ୍ତି ‘ଆଇଏଏସ୍’ ଅଧିକାରୀ ହେଲେ କେମିତି?
ସାମ୍ବାଦିକମାନେ ଏ ବିଷୟରେ ପାଲ୍ଙ୍କୁ ପଚାରିବାରୁ ସେ ଉତ୍ତର ଦେବାକୁ ଅଗ୍ରାହ୍ୟ କରି ଦେଇଛନ୍ତି। କିନ୍ତୁ, ପରେ ସେ ସାମାଜିକ ଗଣମାଧ୍ୟମରେ ବିବୃତି ଦେଇ କହିଛନ୍ତି ଯେ, ଆବଶ୍ୟକ ସମସ୍ତ ସୁବିଧା ବନ୍ୟା ରିଲିଫ୍ ଶିବିରକୁ ଆସିବା ଲାଗି ଜନସାଧାରଣଙ୍କୁ ଉତ୍ସାହ ଦେବାକୁ ସେ ଏଭଳି କହିଥିଲେ।
ସୂଚନାଯୋଗ୍ୟ, ଗତ ସୋମବାରଠାରୁ ଚାଲିଥିବା ଭୀଷଣ ବର୍ଷା ଯୋଗୁଁ ଉତ୍ତର ପ୍ରଦେଶର ୧୮ଟି ଜିଲ୍ଲାର ୧୩,୦୦ରୁ ଅଧିକ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି।