ଗୁଜବ ପ୍ରସାରଣକୁ ଅଟକାଅ, ନଚେତ କଠୋର ପଦକ୍ଷେପ ନେବୁ, ହ୍ଵାଟ୍ସଆପକୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଦେଶରେ ସୋସିଆଲ ମିଡିଆର ଅପବ୍ୟବହାର ବଢିଚାଲିଛି । ହ୍ଵାଟ୍ସଆପ, ଫେସବୁକ, ଟ୍ଵିଟର ଆଦି ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ପ୍ରକାରର ଗୁଜବ ଓ ମିଥ୍ୟା ଖବର ପ୍ରଚାର ହେଉଛି । ଏହାକୁ ଭିତ୍ତିକରି ଅନେକ ହିଂସାକାଣ୍ଡ, ଗଣ୍ଡଗୋଳ ଆଦି ବ୍ୟାପୁଛି । ନିକଟରେ ହ୍ଵାଟ୍ସଆପରେ ବ୍ୟାପୀଥିବା ଏକ ପିଲାଚୋରୀ ଗୁଜବକୁ ନେଇ ଦେଶର ଅନେକ ରାଜ୍ୟରେ ଅଜଣା ଅଚିହ୍ନା ଲୋକମାନଙ୍କୁ ସ୍ଥାନୀୟ ଲୋକମାନେ ବେଶ ଟାର୍ଗେଟ କରିଥିଲେ । କେତେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଏସବୁ ରାଜ୍ୟମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତ୍ରିପୁରା ଆଦି ରାଜ୍ୟ । ଏପରି ଘଟଣାକୁ ନେଇ ସରକାରଙ୍କ ଚିନ୍ତା ପଶିଛି । ଆଜି କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏସବୁ ଗୁଜବ ସୃଷ୍ଟି କରୁଥିବା ଖବରକୁ ନିୟନ୍ତ୍ରଣ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଭବିଷ୍ୟତରେ ଯେପରି ମିଥ୍ୟା ଖବର ନ ବ୍ୟାପେ ସେଥିପାଇଁ ଉପଯୁକ୍ତ ପ୍ରଯୁକ୍ତିର ବ୍ୟବହାର କରି ପଦକ୍ଷେପ ନେବାକୁ ହ୍ଵାଟ୍ସଆପକୁ ସରକାର କହିଛନ୍ତି । ହ୍ଵାଟ୍ସଆପ ଯଦି ଏସବୁକୁ ରୋକିବାରେ ବିଫଳ ହୁଏ ତେବେ ସରକାର କଠୋର ପଦକ୍ଷେପ ନେବାକୁ ପଛେଇବେ ନାହିଁ ବୋଲି ମଧ୍ୟ ସୂଚାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର