କେନ୍ଦ୍ର ସରକାର ଆରମ୍ଭ କଲେ କରୋନାଭାଇରସ୍ ଟ୍ରାକର୍ ଆପ୍ “ଆରୋଗ୍ୟ ସେତୁ’

ନୂଆଦିଲ୍ଲୀ: କରୋନାଭାଇରସ୍ ଟ୍ରାକ୍ କରିବାକୁ କେନ୍ଦ୍ର ସରକାର “ଆରୋଗ୍ୟ ସେତୁ’ ନାମକ ଏକ ଟ୍ରାକିଙ୍ଗ୍ ଆପ୍ ଆରମ୍ଭ କରିଛନ୍ତି । ଆପଣ କୌଣସି କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ଆଖପାଖରେ ଅଛନ୍ତି କି, ନାହିଁ ତାହା ଏଥିରୁ ଜାଣିପାରିବେ । ସ୍ମାର୍ଟଫୋନ୍ ଲୋକେସନ୍ ଡାଟା ଏବଂ ବ୍ଲୁଟୁଥ୍ ବ୍ୟବହାର କରି ଏହି ଆପ୍ ବ୍ୟବହାରକାରୀଙ୍କୁ ସୂଚନା ଦେବ । ଅନ୍ୟ ଅର୍ଥରେ କହିବାକୁ ଗଲେ, ସମଗ୍ର ଦେଶରେ କରୋନାଭାଇରସ୍ ସଂକ୍ରମିତଙ୍କ ଡାଟାବେସକୁ ଯାଞ୍ଚ କରିବା ପରେ ଆପଣ ଥିବା ଅଞ୍ଚଳରେ କେହି ଆକ୍ରାନ୍ତ ଅଛନ୍ତି କି, ନାହିଁ ତାହା ଜଣାଇବ । ଏହାକୁ ପ୍ରସ୍ତୁତ କରିଛି “ଦ ନେକଷ୍ଟ୍ ୱେବ୍ ଫାଷ୍ଟ୍’ ।

ଆକ୍ରାନ୍ତ ବ୍ୟକ୍ତି ଠିକ୍ କେଉଁ ସ୍ଥାନରେ ଅଛନ୍ତି ତାହା ଠାବ କରିବାକୁ ଏହି ଆପରେ ଲୋକେସନ୍ ଡାଟା ବ୍ୟବହାର ହୁଏ । ସଂକ୍ରମିତ ବ୍ୟକ୍ତିଙ୍କଠାରୁ ବ୍ୟବହାରକାରୀ ୬ ଫୁଟ୍ ଦୂରରେ ଅଛନ୍ତି କି, ନାହିଁ ତାହା ଜଣାଇବାକୁ ଏହି ଆପ୍ ବ୍ଲୁଟୁଥ୍ କନେକ୍ଟିଭିଟି ବ୍ୟବହାର କରେ । ଆପଣ “ହାଇ ରିସ୍କ୍’ରେ (ସଂକ୍ରମଣ ଆଶଙ୍କା ଥିବା ସ୍ଥାନ) ଅଛନ୍ତି କି, ନାହିଁ ଏହି ଦୁଇଟି ସାମଗ୍ରୀକୁ ବ୍ୟବହାର କରି ଏହି ଆପ୍ ସତର୍କ କରାଇଦେବ । ଆପଣ “ହାଇ ରିସ୍କ’ ଅଞ୍ଚଳରେ ଥିଲେ, ପରୀକ୍ଷା କରାଇ ନେବାକୁ ଆପ୍ ଆପଣଙ୍କୁ ପରାମର୍ଶ ଦେବା ସହ ନିକଟବର୍ତ୍ତୀ ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା ସମୟ ଧାର୍ଯ୍ୟ କରିବାକୁ ୧୦୭୫ ଟୋଲ୍ ଫ୍ରି’ ନମ୍ବରକୁ ଫୋନ୍ କରିବ ।

ଏଥିସହ “ଆରୋଗ୍ୟ ସେତୁ’ କରୋନାଭାଇରସ୍ ସଂକ୍ରମଣ ନ ହେବା ପାଇଁ ଆପଣଙ୍କୁ କେତେକ ସୂଚନା ଦେବ । ଯଦି ଆପଣ କୌଣସି କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଲେ ବା ଆକ୍ରାନ୍ତ ହୋଇଛନ୍ତି ବୋଲି ପରୀକ୍ଷାରୁ ଜଣାପଡ଼ିଲା ତେବେ, ଏହି ଆପ୍ ସରକାରଙ୍କୁ ଆପଣଙ୍କ ଡାଟା ସେୟାର୍ କରିବ । କିନ୍ତୁ, ଏହି ଆପ୍ କୌଣସି ତୃତୀୟପକ୍ଷ ବ୍ୟବହାରକାରୀଙ୍କୁ ଆପଣଙ୍କ ତଥ୍ୟ ସେୟାର୍ କରିବ ନାହିଁ ।

ଏହି ଆପରେ ଏକ ଚାଟବୋଟ୍ ମଧ୍ୟ ରହିଛି ଯାହା କରୋନାଭାଇରସ୍ ସଂକ୍ରାନ୍ତରେ ଆପଣ କରୁଥିବା ଅନୁସନ୍ଧାନର ଉତ୍ତର ଦେବ ଏବଂ ଆପଣଙ୍କ ଠାରେ ଏହାର ଲକ୍ଷଣ ଦେଖା ଦେଇଛି କି, ନାହିଁ ସ୍ଥିର କରିବ । ଭାରତରେ ଥିବା ପ୍ରତ୍ୟେକ ରାଜ୍ୟର ହେଲପଲାଇନ ନମ୍ବର ମଧ୍ୟ ଏଥିରେ ଉପଲବ୍ଧ । ଏହି ଆପ୍ ଗୁଗଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ ହୋଇପାରିବ ।

ସମ୍ବନ୍ଧିତ ଖବର