ଚୋରି ହୋଇଥିବା ମୋବାଇଲ ଫୋନ ଠାବ ଓ ଅକାମୀ କରିବାକୁ ଅନଲାଇନ୍ ପୋର୍ଟାଲ ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ : ଆଜିକାଲି ମୋବାଇଲ ଫୋନ ଲୋକମାନଙ୍କ ନିତିଦିନିଆ ଜୀବନର ଏକ ଅବିଚ୍ଛେଦ୍ୟ ଅଂଗ ପାଲଟିଯାଇଛି । କିନ୍ତୁ ମୋବାଇଲ ଫୋନ ଚୋରି ଗ୍ରାହକମାନଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ଏକ ମୂଲ୍ୟବାନ ସ୍ମାର୍ଟଫୋନ ଚୋରି ହୋଇଗଲେ ଯେତିକି ବାଧିବ ନାହିଁ, ତା’ଠାରୁ ଅଧିକ ଚିନ୍ତାଜନକ ବିଷୟ ହେଉଛି ସେହି ଫୋନରେ ଥିବା ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର । ଏହି ସମସ୍ୟାର ଏକ ସମାଧାନ ନେଇ ଆସିଛନ୍ତି ଭାରତ ସରକାର ।

କେନ୍ଦ୍ର ଟେଲିକମ ମନ୍ତ୍ରାଳୟ ପକ୍ଷରୁ ସୋମବାରଦିନ ଏପରି ଏକ ଅନଲାଇନ ପୋର୍ଟାଲ ଉନ୍ମୋଚନ କରାଯାଇଛି ଯଦ୍ୱାରା ଚୋରି ହୋଇଥିବା ମୋବାଇଲ ଫୋନକୁ ଠାବ କରାଯିବା ସହ ତାକୁ ଅଚଳ ମଧ୍ୟ କରିହେବ । ଏହି ପୋର୍ଟାଲ (https://ceir.gov.in/) କୁ କେନ୍ଦ୍ର ଟେଲିକମ ମନ୍ତ୍ରାଳୟ ଅଧିନରେ ଥିବା ସଂସ୍ଥା ସିଡଟ୍‌ ପକ୍ଷରୁ ବିକଶିତ କରାଯାଇଛି । ମୋବାଇଲ ଫୋନ ଚୋରି ହୋଇଥିଲେ ଏକ ପୁଲିସ ଏଫଆଇଆର କପି ସହ ଫୋନର ଇଏମଏଆଇ ନମ୍ବର ଏହି ପୋର୍ଟାଲରେ ଦାଖଲ କରିବାକୁ ହେବ । ଏହା ପରେ ପୋର୍ଟାଲ ତରଫରୁ ଅଭିଯୋଗକାରୀଙ୍କୁ ଏକ ଅଭିଯୋଗ ଆଇଡି ପ୍ରଦାନ କରାଯିବ । ଏହି ଆଇଡିକୁ ବ୍ୟବହାର କରି ଚୋରି ହୋଇଯାଇଥିବା ମୋବାଇଲ ଫୋନ ସଂପର୍କିତ ଅଭିଯୋଗର ସ୍ଥିତି ଜାଣିହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଏମଏଆଇ ନମ୍ବର ହେଉଛି ପ୍ରତି ମୋବାଇଲର ଏକ ଚିହ୍ନଟ କୋଡ, ଯାହାକି ମୋବାଇଲ ଫୋନର ଖୋଳରେ ମଧ୍ୟ ଲେଖାରହିଥାଏ ।

ସମ୍ବନ୍ଧିତ ଖବର