ଇଂଲଣ୍ଡ୍‌, ଆମେରିକା, ରୁଷ୍‌, ଜାପାନ୍ ଓ ଚୀନ୍‌ରୁ ନେତାଜୀଙ୍କ ସମ୍ପର୍କିତ ଫାଇଲ୍‌ ଆଣିବାକୁ ଉଦ୍ୟମ ଚାଲିଛି: ଭି. ମୁରଲୀଧରନ୍‌

ନୂଆଦିଲ୍ଲୀ: ଇଂଲଣ୍ଡ୍‌, ଆମେରିକା, ରୁଷ୍‌, ଜାପାନ୍ ଓ ଚୀନ୍‌ରୁ ନେତାଜୀଙ୍କ ସମ୍ପର୍କିତ ଫାଇଲ୍‌ ଓ ରେକର୍ଡ ଆଣିବାକୁ ଉଦ୍ୟମ କରାଯାଇଥିବା କଥା ଗୁରୁବାର ଦିନ ରାଜ୍ୟସଭାରେ ଉଦ୍‌ବୋଧନ ଦେବା ବେଳେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍‌ କହିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ନ୍ୟାସ୍‌ନାଲ୍‌ ଆର୍କାଇଭ୍‌ସ୍‌ ଆଣ୍ଡ୍‌ ବ୍ରିଟିସ୍‌ ଲାଇବ୍ରେରି’ ଓେବ୍‌ସାଇଟ୍‌ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ବନ୍ଧୀୟ ୬୨ଟି ଫାଇଲ୍‌ ଉପଲବ୍ଧ ଅଛି।

ନେତାଜୀଙ୍କ ମୃତ୍ୟୁ ରହସ୍ୟ ଜାଣିବା ପାଇଁ ଚାଲିଥିବା ଉଦ୍ୟମରେ ସରକାରଙ୍କ ସହଯୋଗ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେବାବେଳେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍‌ ଏ କଥା କହିଛନ୍ତି। ସେ କହିଛନ୍ତି, ନେତାଜୀଙ୍କ ସଂକ୍ରାନ୍ତରେ କୌଣସି ଫାଇଲ୍‌ ରୁଷୀୟ ଆର୍କାଇଭ୍‌ରୁ ଖୋଜି ପାଇବାରେ ଅସମର୍ଥ ବୋଲି ରୁଷୀୟ ସରକାର ଭାରତ ସରକାରଙ୍କୁ ଜଣାଇ ସାରିଛି।

Image Courtesy of The New Indian Express

ସେହିପରି, ଜାପାନ ସରକାର ନେତାଜୀଙ୍କ ସମ୍ବନ୍ଧୀୟ ଦୁଇଟି ଫାଇଲ୍‌ ସାର୍ବଜନୀନ କରିସାରିଛି। ସେମାନଙ୍କ ଆର୍କାଇଭ୍‌ସ୍‌ରେ ଥିବା ଏହି ଫାଇଲ୍‌ ସବୁ ଏବେ ପବ୍ଲିକ୍‌ ଡୋମେନ୍‌ରେ ଉପଲବ୍ଧ। ଜାପାନ ସରକାର ମଧ୍ୟ ସେ ଦୁଇଟି ଫାଇଲ୍‌କୁ ଭାରତକୁ ହସ୍ତାନ୍ତର କରିଛନ୍ତି ଏବଂ ତାହା ଏବେ ‘ନ୍ୟାସ୍‌ନାଲ୍‌ ଆର୍କାଇଭ୍‌ ଅଫ୍‌ ଇଣ୍ଡିଆ’ରେ ରହିଛି।

କିନ୍ତୁ, ନେତାଜୀଙ୍କ ସମ୍ବନ୍ଧୀୟ କୌଣସି ଫାଇଲ୍‌ ବା ରିପୋର୍ଟ ସଂକ୍ରାନ୍ତରେ ଚୀନ୍‌ ସରକାରଙ୍କ ଠାରୁ କିଛି ଜବାବ ମିଳିନାହିଁ। ସେହିପରି, ଯୁକ୍ତରାଷ୍ଟ୍ର ଆମେରିକା ସରକାର କହିଛନ୍ତି ଯେ, ୩୦ ବର୍ଷରୁ ଊର୍ଦ୍ଧ୍ବ ସମୟର କୌଣସି ଐତିହାସିକ ଦଲିଲ ସେମାନେ ଡିଜିଟାଇଜ୍‌ କରି ନାହାନ୍ତି।‌ ତେଣୁ, ସେଭଳି କୌଣସି ଫାଇଲ୍‌ ଖୋଜିବାକୁ ହେଲେ ସରକାରଙ୍କ ବିଭିନ୍ନ ଏଜେନ୍‌ସିଙ୍କ ରେକର୍ଡ ତଲାସ କରିବାକୁ ପଡ଼ିବ। ଏଥିପାଇଁ ବ୍ୟାପକ ସମୟ ଲାଗିବ ଏବଂ ସେମାନେ ଏତେ ସମୟ ଦେଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର