ବଜେଟ୍‌ : ଆୟକର ଛାଡ଼ସୀମା ୩ ଲକ୍ଷକୁ ବଢିବା ସମ୍ଭାବନା

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବାକୁ ଯାଉଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ଏହା ହେବ କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । ଏଣୁ ଏଥର ଲୋକମାନଙ୍କୁ ବିଶେଷକରି ମଧ୍ୟବିତ୍ତ ଶ୍ରେଣୀକୁ ଆକୃଷ୍ଟ କରିବାକୁ କେତେକ ପଦକ୍ଷେପର ଘୋଷଣା କରିବାର ସମ୍ଭାବନା ରହିଛି । ବିଶେଷକରି, ବ୍ୟକ୍ତିଗତ ଆୟକର ଛାଡ ସୀମା ଉପରେ ସବୁ ମଧ୍ୟବିତ୍ତ ଶ୍ରେଣୀଙ୍କ ନଜର ଥାଏ । ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଆଗାମୀ ବଜେଟରେ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ୨.୫ ଲକ୍ଷ (ଅଢେଇ ଲକ୍ଷ)ରୁ ବଢାଇ ୩ ଲକ୍ଷ ଟଙ୍କା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଛଡ଼ା ଆୟକର ଟାକ୍ସ ସ୍ଲାବରେ ମଧ୍ୟ କେତେକ ପରିବର୍ତ୍ତନ ଆଣିବାର ସମ୍ଭାବନା ରହିଛି ।

ଏସବୁ ପଦକ୍ଷେପ ଦ୍ୱାରା ମଧ୍ୟବିତ୍ତ ଶ୍ରେଣୀ ବିଶେଷକରି ବେତନଭୋଗୀ କର୍ମଚାରୀମାନଙ୍କୁ ସରକାର ଆକୃଷ୍ଟ କରିବାକୁ ଉଦ୍ୟମ କରିପାରନ୍ତି ବୋଲି ଜଣାପଡ଼ିଛି । ଗତ ବଜେଟରେ ଜେଟଲୀ ଆୟକର ଛାଡ଼ସୀମା ଅପରିବର୍ତ୍ତତ ରଖିଥିଲେ ମଧ୍ୟ ୨.୫ ଲକ୍ଷରୁ ୫ ଲକ୍ଷ ସ୍ଲାବ ମଧ୍ୟରେ ଆୟକର ହାରକୁ ୫ପ୍ରତିଶତକୁ ହ୍ରାସ କରିଥିଲେ । କିନ୍ତୁ ନୂଆ ବଜେଟ୍‌ରେ ଅନ୍ୟ ଆୟକର ସ୍ଲାବଗୁଡିକୁ ମଧ୍ୟ କମାଇବାର ସମ୍ଭାବନା ରହିଛି । ବିଶେଷକରି ୫ରୁ ୧୦ ଲକ୍ଷ ଟଙ୍କାର ସ୍ଲାବ ଉପରେ ଆୟକର ହାର ୧୦ ପ୍ରତିଶତକୁ ଓ ୧୦ରୁ ୨୦ ଲକ୍ଷ ମଧ୍ୟରେ ଆୟକର ହାର ୨୦ ପ୍ରତିଶତ ରଖିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର