ନୂଆଦିଲ୍ଲୀ : ‘ନିଟ୍’ ପରୀକ୍ଷାରେ ଭଲ ସ୍କୋର୍ କରି ଉତ୍ତୀର୍ଣ୍ଣ ହେବାପାଇଁ ଛାତ୍ରଛାତ୍ରୀ କଠୋର ପରିଶ୍ରମ କରୁଛନ୍ତି। ଡାକ୍ତର ହେବା ସ୍ବପ୍ନକୁ ସାକାର କରିବାପାଇଁ ଅନେକ ଆଶାୟୀ କଠୋର ପରିଶ୍ରମ ସତ୍ତ୍ବେ ବିଫଳ ହେଉଛନ୍ତି। ଭାରତରେ କୌଣସି ଛାତ୍ରଛାତ୍ରୀ ଯଦି ନିଟ୍ ପରୀକ୍ଷାରେ ଭଲ ସ୍କୋର୍ କରିନଥିବେ ତେବେ ମେଡିକାଲ୍ କଲେଜ୍ରେ ନାମ ଲେଖାଇବା ଦିବା ସ୍ବପ୍ନ ହୋଇଯାଉଛି। ଅନ୍ୟପକ୍ଷେ ପ୍ରବାସୀ ଭାରତୀୟ (ଏନ୍ଆର୍ଆଇ)ଙ୍କ ପାଇଁ ଏବେ ସରକାରୀ ମେଡିକାଲ୍ କଲେଜ୍ରେ ନାମ ଲେଖାଇବା ଅତି ସହଜ ହୋଇ ଯାଇଛି। ଏନ୍ଆରଆଇ କୋଟାରେ ସେମାନେ ଦେଶର ବିଭିନ୍ନ ରାଜ୍ୟରେ ଥିବା ମେଡିକାଲ୍ କଳେଜ୍ରେ ନାମ ଲେଖାଉଛନ୍ତି। କେବଳ ଘରୋଇ କଲେଜ୍ରେ ମେଡିକାଲ୍ ଶିକ୍ଷାର ବ୍ୟବସାୟୀକରଣ ହୋଇନି ବରଂ କିଛି ସରକାରୀ ମେଡିକାଲ୍ କଲେଜ୍ ମଧ୍ୟ ଏବେ ଏଥିରେ ସାମିଲ ହୋଇଯାଇଛନ୍ତି।
ଗୁଜରାଟ, ରାଜସ୍ଥାନ, ପଂଜାବ, ହରିୟାଣା, ହିମାଚଳପ୍ରଦେଶ ଏବଂ ପୁଡ଼ୁଚେରୀରେ ସରକାରୀ ମେଡିକାଲ କଲେଜ୍ଗୁଡ଼ିକରେ ଏନ୍ଆରଆଇ କୋଟା ରହିଛି। ଜାତି ଭିତ୍ତିକ କୋଟା ପଛୁଆ ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ରିହାତି ଦେଉଥିବା ବେଳେ ଏନ୍ଆରଆଇ କୋଟାରେ ଛାତ୍ରଛାତ୍ରୀମାନେ ଲକ୍ଷ ଲକ୍ଷ ଟଙ୍କା ଦେଇ ପାଠ ପଢ଼ୁଛନ୍ତି। ଅଧିକାଂଶ ରାଜ୍ୟ ଏବେ ଦାବି କରୁଛନ୍ତି ଯେ ଏନ୍ଆରଆଇ କୋଟା ବଳରେ ଆସୁଥିବା ପାଣ୍ଠିକୁ କଲେଜର ରକ୍ଷଣାବେକ୍ଷଣ ଏବଂ ଉନ୍ନତୀକରଣ ପାଇଁ ଖର୍ଚ୍ଚ କରାଯାଉଛି। ଗୁଜରାଟର ମେଡିକାଲ କଲେଜଗୁଡ଼ିକରେ ଦେଶର ସର୍ବାଧିକ ୨୪୧ ଏନ୍ଆରଆଇ ଆସନ ରହିଛି। ଏହାପଛକୁ ରାଜସ୍ଥାନରେ ୨୧୨, ପଂଜାବରେ ୪୧, ପୁଡ଼ୁଚେରୀରେ ୨୨, ହିମାଚଳପ୍ରଦେଶରେ ୨୦ ଏବଂ ହରିୟାଣାରେ ୧୫ଟି ଏନ୍ଆରଆଇ ସିଟ୍ ରହିଛି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେବଳ ଏନ୍ଆରଆଇମାନଙ୍କୁ ଏହି ଆସନ ମିଳୁନାହିଁ, ଯେଉଁମାନେ ଏହି ଆସନ ପାଇଁ ମୋଟା ଅଙ୍କର ଟଙ୍କା ଦେଇପାରୁଛନ୍ତି ସେମାନେ ମଧ୍ୟ ଏହି ଆସନକୁ କିଣି ପାରୁଛନ୍ତି। ଏନ୍ଆରଆଇମାନଙ୍କ ସମ୍ପର୍କୀୟ ବି ଏହି ସୁବିଧା ପାଇପାରୁଛନ୍ତି। ତେବେ ଏନ୍ଆରଆଇ କୋଟାରେ ସିଟ୍ ପାଇବା ଅନେକ ପ୍ରାର୍ଥୀ ଜାଲିଆତି କରୁଥିବା କୁହାଯାଉଛି। ୨୦୧୬ରେ ୧୯୦୦ ଏନ୍ଆର୍ଆଇ ପ୍ରାର୍ଥୀ ବିଭିନ୍ନ ମେଡିକାଲ କଲେଜ୍ରେ ଆଡମିସନ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅସଂରକ୍ଷିତ ଶ୍ରେଣୀର ଛାତ୍ରଛାତ୍ରୀ। କେବଳ ୩ ପ୍ରତିଶତ ଏସ୍ସି/ଏସ୍ଟି ଏବଂ ବାକି ଅନ୍ୟମାନେ ଓବିସି ଶ୍ରେଣୀର।
ସରକାରୀ କଲେଜ୍ଗୁଡ଼ିକରେ ଏନ୍ଆରଆଇ କୋଟାରେ ନାମ ଲେଖାଇଲେ ବାର୍ଷିକ ୧୪ ଲକ୍ଷରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ସରକାରୀ କଲେଜ୍ରେ ଅନ୍ୟ ମେଡିକାଲ ସିଟ୍ ପାଇଁ ଖୁବ୍ କମ୍ ତଥା ବାର୍ଷିକ ୨୫,୦୦୦ରୁ ୧ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଆନ୍ଧ୍ରପ୍ରଦେଶରେ ମଧ୍ୟ ପୂର୍ବରୁ ସରକାରୀ କଲେଜ୍ରେ ଏନ୍ଆରଆଇ ସିଟ୍ ଥିଲା, କିନ୍ତୁ ଏବେ ଏହା ବନ୍ଦ କରାଯାଇଛି। ମଧ୍ୟପ୍ରଦେଶରେ ୨୦୧୬ ପର୍ଯ୍ୟନ୍ତ ଏନ୍ଆରଆଇ ସିଟ୍ ଥିଲା। କିନ୍ତୁ ବିବାଦ ବଢ଼ିବାରୁ ଏହାକୁ ବନ୍ଦ ରଖାଯାଇଛି। ଗତବର୍ଷ କର୍ଣ୍ଣାଟକ ସରକାର ସରକାରୀ ମେଡିକାଲ କଲେଜରେ ଏନ୍ଆରଆଇ କୋଟା ଲାଗୁ କରିବା ପାଇଁ ଚାହିଥିଲେ ମଧ୍ୟ ଏହାକୁ ଜୋରଦାର ବିରୋଧ କରାଯିବାପରେ ବନ୍ଦ ରଖାଯାଇଛି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର