ଆର୍ଥିକ ଠକମାନଙ୍କୁ ସାବାଡ କରିବାକୁ ସରକାର ଆଣିବେ ନୂଆ ଆଇନ

ନୂଆଦିଲ୍ଲୀ : ଦେଶରେ ବଡ଼ ବଡ଼ ଆର୍ଥିକ ଠକେଇ କରି ବିଦେଶ ପଳେଇଯାଉଥିବା ଠକମାନଙ୍କ ସଂଖ୍ୟା ବଢିଚାଲିଛି । ଏହାକୁ ନେଇ ଦେଶରେ ଅସନ୍ତୋଷ ବଢିଚାଲିଥିବାବେଳେ ଆଗକୁ ଯେପରି ଏଭଳି ଘଟଣା ନହୁଏ ତାହା ନିଶ୍ଚିତ କରିବାକୁ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି । ମାର୍ଚ୍ଚ ୬ରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ଭାଗରେ ଏହି ବିଲ୍‌ ଆଗତ ହେବାର ସମ୍ଭାବନା ରହିଛି । ଭାରତୀୟ ଆଇନର ଜାଲରୁ ବର୍ତ୍ତିବା ପାଇଁ ବଡ଼ ବଡ଼ ଆର୍ଥିକ ଠକେଇରେ ସଂପୃକ୍ତ ବ୍ୟକ୍ତିମାନେ ବିଦେଶକୁ ପଳାୟନ କରୁଥିବାରୁ ତାହାକୁ ଯେପରି ରୋକାଯାଇପାରିବ ସେ ନେଇ ଏହି ଆଇନରେ ବ୍ୟବସ୍ଥା ରହିଛି । ଏହି ଚିଠା ଆଇନ ଅନୁସାରେ ଜଣେ ଫେରାର ଆର୍ଥିକ ଅପରାଧୀର ଅର୍ଥ ହେଉଛି ଯାହା ବିରୋଧରେ ଏକ ଆର୍ଥିକ ଠକେଇକୁ ନେଇ ଓ୍ଵାରେଣ୍ଟ ଜାରି ହୋଇଛି, କିନ୍ତୁ ସେ ଦେଶଛାଡି ପଳାଇଛି ଓ ଫେରିବାକୁ ମନା କରୁଛି । ଏପରି କ୍ଷେତ୍ରରେ ଭାରତରେ ଥିବା ତାହାର ସଂପତ୍ତିକୁ ଚିହ୍ନଟ କରି ଜବତ କରାଯାଇପାରିବ ।

ପୁଣି ଯେଉଁମାନେ ଭାରତ ଛାଡି ପଳାଇଯିବାର ସମ୍ଭାବନା ରହିଛି ସେମାନଙ୍କୁ ଚିହ୍ନଟ କରି ଆଗୁଆ ସେମାନଙ୍କ ପାସପୋର୍ଟ ରଦ୍ଦ କରିଦିଆଯିବ । ଆହୁରିମଧ୍ୟ ଯେଉଁମାନଙ୍କ ଆର୍ଥିକ କାରବାର ଉପରେ ସଂଦେହ ହେଉଛି ସେମାନଙ୍କ ଉପରେ ବିଶେଷ ନଜର ରଖିବାକୁ ଚିନ୍ତା କରାଯାଉଛି । ସରକାର କରୁଥିବା ଯୋଜନା ଅନୁସାରେ ବିଭିନ୍ନ କମ୍ପାନିର ବିଦେଶୀ କାରବାର ଉପରେ ନଜର ରଖାଯିବ । ରିଜର୍ଭ ବ୍ୟାଙ୍କ ଓ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌ ଏସବୁ କାରବାର ଉପରେ ନଜର ରଖିବେ ଓ ସଂଦେହ ହେଲେ ସରକାରଙ୍କୁ ସତର୍କ କରାଇଦେବେ । ଅଧିକ ସଂଦେହ ହେଲେ ସେମାନଙ୍କ ପାସପୋର୍ଟକୁ ଜବତ କରିଦିଆଯିବ ।

ସମ୍ବନ୍ଧିତ ଖବର