ଲୋକପାଳ ନେଇ କେନ୍ଦ୍ରର ପଛଘୁଞ୍ଚା

ଅସନ୍ତୋଷ ଜଣାଇଲେ ସୁପ୍ରିମ୍‌କୋର୍ଟ, ଦ୍ୱିତୀୟ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲୋକପାଳ ନିଯୁକ୍ତିକୁ ନେଇ ଆଜି କେନ୍ଦ୍ର ସରକାର ଅସାମର୍ଥ୍ୟ ଜାହିର କରିଛନ୍ତି। ଏହା ଏକ ଅତ୍ୟନ୍ତ ଜଟିଳ ପ୍ରକି୍ରୟା ଏବଂ ଏଥିପାଇଁ ସମୟ ଲାଗିବ ବୋଲି ସରକାର ସୁପି୍ରମ୍‌କୋର୍ଟଙ୍କୁ ଜଣାଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ପକ୍ଷରୁ ଏ ପ୍ରସଙ୍ଗରେ ଦାଖଲ ସତ୍ୟପାଠକୁ ସର୍ବୋଚ୍ଚ ଅଦାଲତ ‘ସମ୍ପୂର୍ଣ୍ଣ ଅସନ୍ତୋଷଜନକ’ ବୋଲି ଦର୍ଶାଇଛନ୍ତି। ଏଥିସହ ଲୋକପାଳ ନିଯୁକ୍ତି ବାବଦରେ ଏବେ ଯାଏ କି ପଦକ୍ଷେପ ନିଆଯାଇଛି ସେ ସଂକ୍ରାନ୍ତରେ ଆଉ ଏକ ସତ୍ୟପାଠ ଦାଖଲ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କହିଲେ, କେନ୍ଦ୍ର ସରକାର ଲୋକପାଳ ନିଯୁକ୍ତିକୁ ନେଇ କୌଣସି ପଦକ୍ଷେପ ନେଉନାହାନ୍ତି। ୨୦୧୭ ଏପ୍ରିଲ୍‌ରେ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ଏ ନେଇ ନିର୍ଦ୍ଦେଶ ଜାରି ପରେ ମଧ୍ୟ କେନ୍ଦ୍ର ଚୁପ୍‌ ରହିବା ପରିତାପର ବିଷୟ। ଏଭଳି କ୍ଷେତ୍ରରେ ସର୍ବୋଚ୍ଚ ଅଦାଲତ ହିଁ ଲୋକପାଳ ନିଯୁକ୍ତି ଦାୟିତ୍ୱ ତୁଲାଇବା ଆବଶ୍ୟକ। ସରକାର ଏ ବାବଦରେ କ’ଣ ପାଇଁ ପଛଘୁଞ୍ଚା ଦେଉଛନ୍ତି, ତାହା ବୁଝାପଡୁ ନାହିଁ। ତେଣୁ ଲୋକପାଳ ନିଯୁକ୍ତି ପାଇଁ ସୁପ୍ରିମ୍‌କୋର୍ଟ ପ୍ରାର୍ଥୀ ଚୟନ କରିବା ଆବଶ୍ୟକ। ସ୍ୱେଚ୍ଛାସେବୀ ସଂଗଠନ ‘କମନ୍‌ କଜ୍‌’ ପକ୍ଷରୁ ମାମଲା ପରିଚାଳନା କରି ଭୂଷଣ ଏଭଳି ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମୟ ଆସିଛି ଖଣ୍ଡପୀଠ ଆଲୋଚନା କରି ଏ ବାବଦରେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ଭୂଷଣଙ୍କଠାରୁ ଏଭଳି ଯୁକ୍ତି ଶୁଣିବା ପରେ ବିଚାରପତି ରଞ୍ଜନ ଗୋଗୋଇ ସରକାରଙ୍କୁ ଆଉ ଏକ ସତ୍ୟପାଠ ୪ ସପ୍ତାହ ମଧ୍ୟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏବେସୁଦ୍ଧା ଲୋକପାଳ ନିଯୁକ୍ତି ବାବଦରେ କେଉଁ ପଦକ୍ଷେପ ନିଆଯାଇଛି ସେ ନେଇ ଜଣାଇବା ପାଇଁ ବିଚାରପତି ରଞ୍ଜନ ଗୋଗୋଇ, ଆର୍‌ ଭାନୁମତୀ ଓ ନବୀନ ସିହ୍ନାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ସତ୍ୟପାଠରେ ଖଣ୍ଡପୀଠ କେଉଁପ୍ରକାର ବିବରଣୀ ଚାହୁଛନ୍ତି ସେ ନେଇ ସ୍ପଷ୍ଟ କରିବା ଲାଗି ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ କହିଛନ୍ତି। ଶୁଣାଣି ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ବେଣୁଗୋପାଳ କହିଛନ୍ତି, ଲୋକପାଳ ନିଯୁକ୍ତି ପାଇଁ କମିଟି ଚୟନ କରିବା ଏକ ଜଟିଳ ବ୍ୟାପାର। ଏଥିପାଇଁ ସମୟ ଲାଗିବ। ପ୍ରାର୍ଥୀମାନଙ୍କର ସାମର୍ଥ୍ୟକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ଦରକାର। ତେଣୁ କମିଟି ସେହି ଅନୁସାରେ ଚୟନ ହେବା ଉଚିତ। ଉଲ୍ଲେଖଯୋଗ୍ୟ, ଲୋକପାଳ ନିଯୁକ୍ତି ପାଇଁ ସର୍ବୋଚ୍ଚ ଅଦାଲତ ବାରମ୍ବାର କେନ୍ଦ୍ରକୁ କହିଆସୁଛନ୍ତି। କିନ୍ତୁ ଏବେ ଯାଏ ସରକାର ସେଭଳି ଆଖିଦୃଶିଆ ପଦକ୍ଷେପ ନେଇପାରି ନାହାନ୍ତି। ଲୋକପାଳ ଓ ଲୋକାୟୁକ୍ତ ଆଇନ ୨୦୧୪ରେ ମଞ୍ଜୁରି ଲାଭ କରିଥିଲେ ହେଁ ଏହାକୁ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ପାରିନାହିଁ।

ସମ୍ବନ୍ଧିତ ଖବର