ପାକିସ୍ତାନ ସରକାରଙ୍କ ବିରୋଧରେ ଭାରତର ଆକ୍ସନ, ଦେଶରେ ବ୍ୟାନ ହେଲା ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ: ପାକିସ୍ତାନର ଶାହାବାଜ ସରକାରଙ୍କ ବିରୋଧରେ ଭାରତ ପକ୍ଷରୁ ଏକ ବଡ଼ ‘ଡିଜିଟାଲ୍ ଷ୍ଟ୍ରାଇକ୍’ କରାଯାଇଛି। ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିଦିଆଯାଇଛି | ଭାରତୀୟ ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏହି ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରାଯାଇଛି। ଏହାକୁ ନେଇ ଟ୍ୱିଟର ପକ୍ଷରୁ କୁହାଯାଇଛି ଯେ ଅଭିଯୋଗ ପାଇବା ପରେ ଏହା କରାଯାଇଛି। ପାକିସ୍ତାନ ସରକାରଙ୍କ ଟ୍ୱିଟର ହ୍ୟାଣ୍ଡେଲ @GovtofPakistan ନାମରେ ଅଛି। ଯଦି ଆପଣ ଏହାକୁ ଟ୍ୱିଟରରେ ଖୋଜନ୍ତି, ତେବେ ଆପଣଙ୍କ ସାମ୍ନାରେ ପୃଷ୍ଠା ଖୋଲିବା ପରିବର୍ତ୍ତେ, ଆଇନଗତ କାରଣରୁ ଏହି ଆକାଉଣ୍ଟ ଭାରତରେ ବନ୍ଦ ହୋଇଯାଇଛି ବୋଲି ଲେଖାଯାଇଥିବାର ଦେଖିବାକୁ ମିଳିବ |

ନିକଟରେ ପାକିସ୍ତାନୀ ଦୂତାବାସ ପକ୍ଷରୁ ପିଏଫଆଇ ଉପରେ ୫ ବର୍ଷର ପ୍ରତିବନ୍ଧକକୁ ବିରୋଧ କରି ଏକ ଟୁଇଟ୍ କରାଯାଇଥିଲା। ସୋସିଆଲ ମିଡିଆରେ କାନାଡାରେ ଥିବା ପାକିସ୍ତାନର ଦୂତାବାସ ଏହି ଟ୍ୱିଟ କରି ଭାରତକୁ ବିରୋଧ ସହ ପିଏଫଆଇକୁ ସମର୍ଥନ କରିଥିଲା। ଆଉ କୁହାଯାଉଛି ଯେ ଏହି କାରଣରୁ ଭାରତରେ ପାକିସ୍ତାନ ସରକାରଙ୍କ ସରକାରୀ ଟୁଇଟର ଆକାଉଣ୍ଟକୁ ବ୍ଲକ କରାଯାଇଛି। ବାସ୍ତବରେ କାନାଡାରେ ଥିବା ପାକିସ୍ତାନ ଦୂତାବାସର ଏକ ଟୁଇଟର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖବର ଅନୁଯାୟୀ, ନିଷିଦ୍ଧ ପିଏଫଆଇକୁ ସମର୍ଥନ କରି ପାକିସ୍ତାନର କନସୁଲେଟ୍ ଜେନେରାଲ୍ ଏହି ଟ୍ୱିଟ୍ କରିଥିଲା ।

କେବଳ ଏତିକି ନୁହେଁ ଆପତ୍ତିଜନକ ଟୁଇଟ୍ ସହିତ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ପାକିସ୍ତାନ ସରକାରଙ୍କୁ ମଧ୍ୟ ଏଥିରେ ଟ୍ୟାଗ୍ କରାଯାଇଥିଲା ।ତେବେ ଏହା ପ୍ରଥମ ଥର ନୁହେଁ ଯେ ଭାରତ ପାକିସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି | ଏହା ପୂର୍ବରୁ ମଧ୍ୟ ଜାତୀୟ ବିରୋଧୀ ବିଷୟବସ୍ତୁ ପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ପାକିସ୍ତାନରୁ ପରିଚାଳିତ ୧୦୦ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲ, ୪ଟି ଫେସବୁକ ପେଜ, ୫ଟି ଟ୍ୱିଟର ଆକାଉଣ୍ଟ ଏବଂ ୩ଟି ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟାନ କରିଥିଲା |

ସମ୍ବନ୍ଧିତ ଖବର