କମ୍ପ୍ୟୁଟର ଉପରେ ନଜର ସରକାର-ବିରୋଧୀ ମୁହାଁମୁହିଁ

୨୦୦୯ରେ ଆଦେଶ କାର୍ଯ୍ୟକାରୀ ହୋଇଥିଲା: ଜେଟ୍‌ଲୀ, ଲୋକଙ୍କ ବିରୋଧରେ ଗୋଇନ୍ଦାଗିରି ନିନ୍ଦନୀୟ: ବିରୋଧୀ ଦଳ

ନୂଆଦିଲ୍ଲୀ: କେନ୍ଦ୍ର ସରାକାରଙ୍କ ଗୃହ ମନ୍ତ୍ରାଳୟ କମ୍ପ୍ୟୁଟର ତଥ୍ୟ ଉପରେ ନଜର ରଖିବା ପାଇଁ ୧୦ଟି ତଦନ୍ତକାରୀ ସଂସ୍ଥାକୁ ଅଧିକାର ପ୍ରଦାନ କରିଛନ୍ତି। ଏହି ନୂଆ କ୍ଷମତା ବଳରେ ନିରାପତ୍ତା ଏବଂ ଗୁଇନ୍ଦା ସଂସ୍ଥାମାନେ ଏଣିକି ଯେ କୌଣସି କମ୍ପ୍ୟୁଟରକୁ ନିଜ ଦଖଲକୁ ନେଇ ଏଥିରେ ଥିବା ତଥ୍ୟ ଯାଞ୍ଚ କରିପାରିବେ। ଗୃହ ମନ୍ତ୍ରାଳୟର ସାଇବର ଏବଂ ସୂଚନା ସୁରକ୍ଷା ବିଭାଗ ସମସ୍ତ ପ୍ରମୁଖ ତଦନ୍ତକାରୀ ସଂସ୍ଥାକୁ କମ୍ପ୍ୟୁଟର ଯାଞ୍ଚ ପାଇଁ କ୍ଷମତାପନ୍ନ କରିବା ପରେ ଆଜି ବିରୋଧୀ ଦଳଗୁଡ଼ିକ ତମ୍ବିତୋଫାନ ସୃଷ୍ଟି କରିଛନ୍ତି। ଏହା ବ୍ୟକ୍ତି ସ୍ବାଧୀନତା ଉପରେ ଆକ୍ରମଣ ବୋଲି ବିରୋଧୀ ଦଳ ନେତାମାନେ କହିଥିବା ବେଳେ ସରକାର ଏହାକୁ ଖଣ୍ଡନ କରିଛନ୍ତି। ୨୦୦୯ରେ କମ୍ପ୍ୟୁଟର ଡାଟା ଉପରେ ନଜର ରଖିବାପାଇଁ ଆଦେଶ କାର୍ଯ୍ୟକାରୀ ହୋଇଥିଲା ଏବଂ ସାଧାରଣ ଜନତାଙ୍କ ଉପରେ ଏହାର କୌଣସି ପ୍ରଭାବ ନାହିଁ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ରାଜ୍ୟସଭାରେ କହିଛନ୍ତି।

 

୧୮ ବର୍ଷ ତଳେ ୨୦୦୦ ମସିହାରେ ସୂଚନା ପ୍ରଯୁକ୍ତି ଆଇନ ଆସିଥିଲା। ଏହି ଆଇନର ଧାରା ୬୯(୧)ରେ କୁହାଯାଇଥିଲା ଯେ ରାଷ୍ଟ୍ରୀୟ ସୁରକ୍ଷା, ସାର୍ବଭୌମତ୍ବ ଏବଂ ଏକତାକୁ ନେଇ କୌଣସି ଚିନ୍ତାଜନକ ସ୍ଥିତି ଉପୁଜିଲେ ତଦନ୍ତକାରୀ ସଂସ୍ଥାମାନେ କମ୍ପ୍ୟୁଟର ଯାଞ୍ଚ୍‌ କରିପାରିବେ। ତେବେ ଜେଟ୍‌ଲିଙ୍କ ଏହି ଜବାବରେ ଆଜି ସଂସଦରେ ବିରୋଧୀ ଦଳମାନେ ସନ୍ତୁଷ୍ଟ ହୋଇନଥିଲେ। ରା‌ଷ୍ଟ୍ରୀୟ ସୁରକ୍ଷା ସହ ଏହି ଆଇନର କୌଣସି ସମ୍ପର୍କ ନାହିଁ ବୋଲି ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କହିଥିଲେ। ସମାଜବାଦୀ ପାର୍ଟି, ଆର୍‌ଜେଡି, ସିପିଏମ୍‌ ଏବଂ ଟିଏମ୍‌ସି ସାଂସଦମାନେ ସରକାରଙ୍କ ନିଷ୍ପତ୍ତିକୁ ଜୋରଦାର ବିରୋଧ କରି ସାଧାରଣ ଜନତାଙ୍କ ବିରୋଧରେ ଗୋଇନ୍ଦାଗିରି ନିନ୍ଦନୀୟ ବୋଲି କହିଥିଲେ। ଜେଟ୍‌ଲି କହିଥିଲେ ଏହି ନିୟମକୁ ୨୦୦୯ରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର କାର୍ଯ୍ୟକାରୀ କରିଥିଲେ ଏବଂ ତଦନ୍ତକାରୀ ସଂସ୍ଥାଙ୍କୁ କମ୍ପ୍ୟୁଟର ଡାଟା ନିଜ ନିୟନ୍ତ୍ରଣକୁ ନେଇ ତଦନ୍ତ କରିବାକୁ ଅଧିକାର ଦିଆଯାଇଥିଲା। ଆନନ୍ଦ ଶର୍ମା ୨୦୦୯ରେ ୟୁପିଏ ସରକାରରେ ମନ୍ତ୍ରୀ ଥିବାବେଳେ ଏହି ଆଇନ କାର୍ଯ୍ୟକାରୀ ହୋଇଛି।ଏହି ଆଦେଶର ଏବେ କେବଳ ପୁନରାବୃତ୍ତି ହୋଇଛି ଏବଂ କଂଗ୍ରେସ ଏ ବାବଦରେ ଭଲଭାବେ ଅବଗତ ଅଛି ବୋଲି ଜେଟ୍‌ଲି କହିଥିଲେ।

ଆଇଟି ଆଇନର ଦୁରୁପଯୋଗ ହେଉଛି: ବିଜେଡି
ନୂଆଦିଲ୍ଲୀ: କମ୍ପ୍ୟୁଟର ତଥ୍ୟ ଉପରେ ନଜର ରଖାଯିବା ମାମଲାରେ ବିଜେଡି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ସରକାର ଆଇଟି ଆଇନର ଦୁରୁପଯୋଗ କରୁଛନ୍ତି ଏବଂ ଏହାଦ୍ବାରା ବ୍ୟକ୍ତି ସ୍ବାଧୀନତା ସଙ୍କୁଚିତ ହେଉଛି ‌ବୋଲି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। କରଦାତାଙ୍କ ଘରେ ପଶି ବିନା କୌଣସି ଅନୁମତିରେ ତଦନ୍ତକାରୀ ସଂସ୍ଥା କମ୍ପ୍ୟୁଟର ଯାଞ୍ଚ କରିବା ଏକ ଜଘନ୍ୟ ନିଷ୍ପତ୍ତି ବୋଲି ବିଜେଡି ଲୋକସଭା ସାଂସଦ ତଥାଗତ ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର