୧୨ ସାଂସଦଙ୍କ ନିଲମ୍ବନ ନେଇ ସରକାର-ବିରୋଧୀ ମୁହାଁମୁହିଁ

ନିଲମ୍ବନ ଉଠାଇବାକୁ ମନା କଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନରେ ବିଶୃଙ୍ଖଳିତ ଆଚରଣ ପାଇଁ ଗତକାଲି ୧୨ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । କିନ୍ତୁ ଏହି ପ୍ରସଙ୍ଗକୁ ନେଇ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି ।

ଗତ ଅଗଷ୍ଟ ୧୧ ତାରିଖରେ ମୌସୁମୀ ଅଧିବେଶନର ଶେଷ ଦିନରେ ଏହି ରାଜ୍ୟସଭା ସାଂସଦମାନେ ବିଶୃଙ୍ଖଳିତ ଆଚରଣ କରିଥିଲେ । ଏହି ଆଚରଣ ପାଇଁ ଗତକାଲି ସେମାନଙ୍କୁ ନିଲମ୍ବିତ କରାଯାଇଥିଲା । ଏହି କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ବାଧ୍ୟ ହେଲେ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି । ତେବେ ଯଦି ଏହି ସାଂସଦମାନେ ନିଜର ଆଚରଣ ପାଇଁ କ୍ଷମା ମାଗନ୍ତି ତେବେ ନିଲମ୍ବନ ଉଠାଯାଇପାରେ ବୋଲି ସେ କହିଛନ୍ତି ।

ତେବେ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି ବିରୋଧୀ ଦଳନେତାମାନେ ସ୍ବଷ୍ଟ କରିଦେଇଛନ୍ତି । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଏହି ୧୨ ରାଜ୍ୟ ସଭା ସାଂସଦଙ୍କ ନିଲମ୍ବନ ବେଆଇନ । ଏଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ।

ଏହି ପ୍ରସଙ୍ଗରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଅନ୍ୟ ବିରୋଧୀ ଦଳ ନେତାମାନେ ଏକ ବୈଠକ କରି ପରବର୍ତ୍ତୀ ରଣନୀତି ସଂପର୍କରେ ଆଲୋଚନା କରିଛନ୍ତି ।

ସମ୍ବନ୍ଧିତ ଖବର