ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ ବିରୋଧରେ ଲଢ଼େଇ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଜି ଅଧ୍ୟାଦେଶ ଆଣିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇ କହିଛନ୍ତି ଯେ ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ ହେଉଥିବା ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଠୋର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏହି ନୂତନ ଅଧ୍ୟାଦେଶରେ ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ କିମ୍ବା ନିର୍ଯାତନା ଦେଲେ ୩ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହ ୫ ଲକ୍ଷ ଟଙ୍କାା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା କରାଯାଇଛି। ୧୮୯୭ ମହାମାରୀ ନିୟନ୍ତ୍ରଣ ଆଇନରେ ସଂଶୋଧନ କରିବାକୁ ଯାଇ ଏହି ଅଧ୍ୟାଦେଶ ଅଣାଯାଇଛି। ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ ଅପରାଧ ଏଣିକି ଜାମିନ ବିହୀନ ହେବ ଏବଂ ମାମଲାର ତଦନ୍ତ ୩୦ ଦିନ ମଧ୍ୟରେ ଶେଷ ହେବ।
ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ କିମ୍ବା ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କଲେ ୩ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି ଏବଂ ୫୦ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ମଧ୍ୟ ଦଣ୍ଡିତ କରାଯିବ। ସ୍ବାସ୍ଥ୍ୟକର୍ମୀଙ୍କୁ ଅଧିକ କ୍ଷତି ପହଞ୍ଚାଇଲେ ୬ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହେବ ଏବଂ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ। ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ମାମଲାରେ ୩୦ ଦିନ ମଧ୍ୟରେ ମକଦ୍ଦମା ଆରମ୍ଭ ହୋଇଯିବ ଏବଂ ୧ ବର୍ଷ ମଧ୍ୟରେ ଏ ସଂକ୍ରାନ୍ତ ରାୟ ଆସିବ। ଯଦି ସ୍ବାସ୍ଥ୍ୟ କର୍ମୀଙ୍କ ଯାନବାହନକୁ କ୍ଷତି କରାଯିବ ତା'ହେଲେ ଆକ୍ରମଣକାରୀଙ୍କଠାରୁ ବଜାର ଦର ତୁଳନାରେ ଦୁଇଗୁଣ କ୍ଷତିପୂରଣ ଆଦାୟ କରାଯିବ।
ମହାମାରୀ ନିୟନ୍ତ୍ରଣ କ୍ଷେତ୍ରରେ ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଦେବାପାଇଁ ଏହି କଠୋର ଆଇନ କାର୍ଯ୍ୟକାରୀ କରିବାକୁ ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି।
ଇତିମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ କେରାନା ସଂକ୍ରମଣ ଆଜି ସୁଦ୍ଧା ୪୩୦ ଜିଲ୍ଲାକୁ ବ୍ୟାପିଯାଇଛି। ଏପ୍ରିଲ ୨ ତାରିଖରେ ଏହା ୨୧୧ ଜିଲ୍ଳାରେ ସୀମିତ ଥିଲା। ବର୍ତମାନ ସୁଦ୍ଧା ୨୦ ହଜାର ୪୭୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ଭାଗ ହେଉଛନ୍ତି ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ ଓ ତାମିଲନାଡ଼ୁର ବୋଲି ଜଣାପଡ଼ିଛି। ତେବେ ୬ଟି ବଡ଼ ବଡ଼ ସହର ସର୍ବାଧିକ ସଂକ୍ରମିତ ହୋଇଛନ୍ତି। ମୁମ୍ବାଇରେ ସର୍ବାଧିକ ୩୦୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ଦିଲ୍ଲୀରେ ୨୦୮୧ ଜଣ, ଅହମ୍ମଦାବାଦରେ ୧୨୯୮, ଇନ୍ଦୋରେରେ ୯୧୫, ପୁଣେରେ ୬୬୦ ଏବଂ ରାଜସ୍ଥାନ ଜୟପୁରରେ ୫୩୭ ଜଣ ସଂକ୍ରମିତ ହୋଇଛନ୍ତି। ଆଜି ଗୋଟିଏ ଦିନରେ େଯଉଁ ୫୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୫୦ ଭାଗ ଲୋକ କେବଳ ଏହି ୬ଟି ସହରର ବୋଲି କୁହଯାଉଛି। ତେବେ ସ୍ବାସ୍ଥ୍ୟ ବିଭାଗ ଆଶ୍ବାସନା ଦେଇଛି ଯେ ସଂକ୍ରମଣ ହାର କମିବାରେ ଲାଗିଛି। ଲକ୍ ଡାଉନ୍ ପୂର୍ବରୁ ୩.୪ ଦିନରେ ସଂକ୍ରମଣ ସଂଖ୍ୟା ଦୁଇଗୁଣା ହେଉଥିବା ବେଳେ ଏବେ ୭.୫ ଦିନରେ ଦୁଇଗୁଣା ହେଉଛି। ଏହା ଏକ ଶୁଭ ସଙ୍କେତ ବୋଲି ବିଭାଗୀୟ ସଚିବ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/y-64-1.jpg)