ନୂଆଦିଲ୍ଲୀ: ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ- ଦାମନ ଓ ଦିଉ ଏବଂ ଦାଦ୍ରା ଓ ନଗର ହାବେଲିକୁ ମିଶାଇ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ କରାଯିବ ଏବଂ ଏଥିନିମନ୍ତେ ଆସନ୍ତା ସପ୍ତାହରେ ଲୋକସଭାରେ ଏକ ବିଧେୟକ ଉପସ୍ଥାପନ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘଓ୍ଵାଲ୍‌ ଶୁକ୍ରବାର ଦିନ ଲୋକସଭାରେ କହିଛନ୍ତି।

Advertisment

ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ବିଭାଜିତ ହୋଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହେବାର ତିନି ମାସ ପରେ ଏ ଭଳି ପଦକ୍ଷେପ ନିଆଯିବାକୁ ଯୋଜନା କରାଯାଉଛି।

ମେଘଓ୍ଵାଲ୍‌ କହିଛନ୍ତି: ଦାଦ୍ରା ଓ ନଗର ହାବେଲି ଏବଂ ଦାମନ ଓ ଦିଉ ବିଧେୟକ ୨୦୧୯ ହେଉଛି ଆସନ୍ତା ସପ୍ତାହ ଲାଗି ଲୋକସଭାର ବ୍ୟାପାର।
ସରକାରୀ ଅଧିକାରୀମାନେ କହିଛନ୍ତି ଗୁଜରାଟ ନିକଟ ପଶ୍ଚିମ ତଟରେ ଅବସ୍ଥିତ ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଏକତ୍ରକରଣ ଦ୍ୱାରା ଉତ୍ତମ ଶାସନ ହେବା ସହ ବିଭିନ୍ନ କାମର ଜାଲିଆତି ରୋକା ଯାଇ ପାରିବ।

publive-image Image Source: Sakshi

ପରସ୍ପର ଠାରୁ ମାତ୍ର ୩୫ କିଲୋମିଟର୍‌ ଦୂରରେ ଥିବା ସତ୍ତ୍ୱେ ଉଭୟ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପୃଥକ୍‌ ବଜେଟ ଓ ସଚିବାଳୟ ରହିଛି।
ଦାଦ୍ରା ଏବଂ ନଗର ହାବେଲିର ମାତ୍ର ଗୋଟିଏ ଜିଲ୍ଲା ଥିବା ବେଳେ ଦାମନ ଓ ଦିଉର ଦୁଇଟି ଜିଲ୍ଲା ରହିଛି।

ମିଶ୍ରଣ ହେବା ପରେ ଏହି କେନ୍ଦ୍ରଶାସିତ ଅଞ୍ଚଳର ନାମ ରହିବ ଦାଦ୍ରା, ନଗର ହାବେଲି, ଦାମନ ଓ ଦିଉ ଏବଂ ଏହାର ମୁଖ୍ୟାଳୟ ଦାମନ ଓ ଦିଉ ହୋଇପାରେ।

ଏହି ମିଶ୍ରଣ ଫଳରେ ଭାରତରେ କେନ୍ଦ୍ରଶାସିତ ଅଞ୍ଚଳର ସଂଖ୍ୟା ଆଠକୁ ହ୍ରାସ ପାଇବ।