ଭାରତରେ ଥିବା ପତ୍ନୀଙ୍କୁ ପରିତ୍ୟାଗ କରୁଥିବା ଏନଆରଆଇଙ୍କ ସଂପତ୍ତି ଜବତ ହେବ !

ନୂଆଦିଲ୍ଲୀ: ଭାରତରେ ଥିବା ନିଜ ପତ୍ନୀମାନଙ୍କୁ ପରିତ୍ୟାଗ କରୁଥିବା ଏନଆରଆଇମାନଙ୍କୁ ସାବାଡ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ବାରମ୍ବାର ନୋଟିସ ପଠାଇବା ସତ୍ତ୍ୱେ ଶୁଣୁନଥିବା ଏନଆରଆଇମାନଙ୍କ ସବୁ ସମ୍ପତ୍ତି ଜବତ କରିବାକୁ ସରକାର ଚିନ୍ତା କରୁଛନ୍ତି । ଏଥିପାଇଁ ଆଇନରେ କେତେକ ସଂଶୋଧନ ଅଣାଯିବ ବୋଲି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମନେକା ଗାନ୍ଧି କହିଛନ୍ତି । ବିଦେଶକୁ ଦୀର୍ଘ ସମୟ ପାଇଁ ଯାଉଥିବା ଲୋକମାନେ ଭାରତରେ ଛାଡ଼ିଯାଇଥିବା ନିଜର ପତ୍ନୀମାନଙ୍କୁ ଭୁଲିଯାଉଥିବା ବା ପରିତ୍ୟାଗ କରୁଥିବା ମାମଲା ବଢିଚାଲିଛି । ପତ୍ନୀମାନଙ୍କ ଅଭିଯୋଗକ୍ରମେ ପୁଲିସ ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବାରମ୍ବାର ନୋଟିସ ପଠାଯିବା ସତ୍ତ୍ୱେ ସେମାନେ ଜବାବ ଦେଉନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ସଂପର୍କରେ ବିଚାର କରୁଛନ୍ତି ।

ଏହାଛଡା ଶିଶୁ ଯୌନନିର୍ଯ୍ୟାତନା ମାମଲାରେ ମାମଲା ଦାଏର କରିବାର ସର୍ବାଧିକ ସମୟସୀମାକୁ ଉଠାଇଦେବାକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଗୃହ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି । ଏବେ ଥିବା ବ୍ୟବସ୍ଥା ଅନୁସାରେ ଘଟଣା ଘଟିବାର ସର୍ବାଧିକ ୩ ବର୍ଷ ମଧ୍ୟରେ ଅଭିଯୋଗ ଦାଖଲ କରାଯାଇପାରିବ । ପୁଣି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର େଓ୍ଵବସାଇଟ୍‌ରେ ସମନକୁ ଅପଲୋଡ କଲେ ତାହାକୁ ସମନ ପଠାହେଲା ବୋଲି ଧରାଯିବ ଓ ତାହା ଅନୁସାରେ ହାଜିର ନହେଲେ ସଂପୃକ୍ତ ବ୍ୟକ୍ତିକୁ ଫେରାର ବୋଲି ଧରାଯିବ ।

ସମ୍ବନ୍ଧିତ ଖବର