ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ କ୍ଷୁଦ୍ର ସଞ୍ଚୟ ଯୋଜନାରେ ନିବେଶ କରୁଥିବା ଲୋକଙ୍କୁ ସରକାର ବଡ ଉପହାର ଦେଇଛନ୍ତି । ସୁକନ୍ୟା ଭଳି କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧହାର ବୃଦ୍ଧି କରିଛି ସରକାର । ପ୍ରାୟ ଦେଢ଼ ବର୍ଷ ପରେ ଏହି ସବୁ ଯୋଜନାର ସୁଧ ହାରରେ ପରିବର୍ତ୍ତନ କରାଯାଇଛି। ଏଥର ସୁଧ ୨୦ ବେସିସ୍ ପଏଣ୍ଟ ଅର୍ଥାତ୍ ୦.୨୦ ପ୍ରତିଶତ ବୃଦ୍ଧି ପାଇଛି। ଶୁକ୍ରବାର ଅନୁଷ୍ଠିତ ବୈଠକରେ ଅର୍ଥ ମନ୍ତ୍ରଣାଳୟ ବୈଠକରେ ଏସବୁ ନିଷ୍ପତ୍ତି ନିଆଯାଇଛି ।
ବୈଠକ ପରେ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ୨୦୨୪ ଜାନୁଆରୀ-ମାର୍ଚ୍ଚ ତ୍ରୟମାସ ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ୦.୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଡିସେମ୍ବର ୨୯ରେ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ୩ ବର୍ଷର ଟର୍ମ ଡିପୋଜିଟ ଯେପରିକି ପୋଷ୍ଟ ଅଫିସ ଏଫଡି ଉପରେ ସୁଧ ହାର ୧୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି। ଏବେ ଏଥିରେ ୭ ପ୍ରତିଶତ ପରିବର୍ତ୍ତେ ୭.୧୦ ପ୍ରତିଶତ ସୁଧ ମିଳିବ। ନୂଆ ସୁଧ ହାର ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୟମାସ ପାଇଁ ଲାଗୁ ହେବ।
ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ମଧ୍ୟ ବୃଦ୍ଧି କରାଯାଇଛି ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଜାନୁଆରୀ-ମାର୍ଚ୍ଚ ତ୍ରୟମାସପାଇଁ ୮ ପ୍ରତିଶତ ପରିବର୍ତ୍ତେ ୮.୨ ପ୍ରତିଶତ ସୁଧ ମିଳିବ। ଏହି ଯୋଜନାକୁ ୨୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି। ଖାସ୍ କଥା ହେଉଛି ସରକାର ପ୍ରାୟ ୬ଟି ତ୍ରୈମାସ ପରେ ସୁକନ୍ୟା ସ୍କିମର ସୁଧହାର ବୃଦ୍ଧି କରିଛନ୍ତି।
କିନ୍ତୁ କେନ୍ଦ୍ର ସରକାର ଅନ୍ୟ ସ୍ପଳ୍ପ ସଞ୍ଚୟ ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଅର୍ଥାତ୍ ପିପିଏଫ, ଏନଏସସି ଭଳି ଯୋଜନାରେ କୌଣସି ପରିବର୍ତ୍ତନ ହୋଇନାହିଁ ।