ନୂଆଦିଲ୍ଲୀ : ବିମୁଦ୍ରାକରଣ ଏବଂ ଜିଏସ୍ଟି କାର୍ଯ୍ୟକାରୀ ହେବାପରେ ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୫.୭ ପ୍ରତିଶତକୁ କମିଯିବା ପରେ ସରକାରଙ୍କୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଉଛି। ଏହି ସମାଲୋଚନାରୁ ବର୍ତ୍ତିବା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ୨୭ଟି ସାମଗ୍ରୀର ଟିକସକୁ କମାଇ ଦିଆଯାଇଛି। ଏଥିସହିତ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଜିଏସ୍ଟି ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ସରଳ କରାଯାଇଥିବାବେଳେ କମ୍ପୋଜିସନ୍ ସ୍କିମ୍ର ସୀମାକୁ ମଧ୍ୟ ବଢ଼ାଇ ଦିଆଯାଇଛି।
ଅଣ ବ୍ରାଣ୍ଡେଡ୍ ନମ୍କିନ, ଅଣ ବ୍ରାଣ୍ଡେଡ୍ ଆୟୁର୍ବେଦ ଔଷଧ, ରବର, ପ୍ଲାଷ୍ଟିକ୍ ଏବଂ କାଗଜର ବର୍ଜ୍ୟବସ୍ତୁ, ଶିଶୁ ଖାଦ୍ୟ, ଖାକ୍ରା ଓ ଚପାତି ଆଦି ଉପରେ ଜିଏସ୍ଟିକୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ଜରି କାମ, ଇମିଟେସନ୍ ଗହଣା ଏବଂ ଛପା ସାମଗ୍ରୀ ଉପରେ ଜିଏସ୍ଟି ମଧ୍ୟ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ହାତ ତିଆରି ସୂତା ଉପରୁ ଜିଏସ୍ଟି ୧୨ ପ୍ରତିଶତକୁ କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ବୟନ ଶିଳ୍ପ ଲାଭବାନ ହେବ ବୋଲି ଆଶା ରଖାଯାଇଛି।
ଆଜି ଜିଏସ୍ଟି ପରିଷଦର ୨୨ତମ ବୈଠକରେ ଦିନତମାମ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଏହି ଜଟିଳ ନୂତନ ଟିକସ ବ୍ୟବସ୍ଥାର ନିୟମ ପାଳନ କରିବାରେ ବ୍ୟବସାୟୀମାନେ ସାମ୍ନା କରୁଥିବା ଅସୁବିଧାଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ବୈଠକ ଶେଷ ହେବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କହିଛନ୍ତି ଯେ ୧.୫ କୋଟି ଟଙ୍କାର କାରବାର କରୁଥିବା କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥା (ଏସ୍ଏମ୍ଇ)ଗୁଡ଼ିକ ତିନି ମାସରେ ଥରେ ରିଟର୍ଣ୍ଣ ଦାଖଲ କରିପାରିବେ। ସେମାନଙ୍କୁ ଆଉ ପ୍ରତି ମାସରେ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ନାହିଁ। ଜିଏସ୍ଟି ପରିଷଦର ଏହି ନିଷ୍ପତ୍ତି ଦ୍ୱାରା ୯୦ ପ୍ରତିଶତ ଟିକସଦାତା ଲାଭବାନ ହେବେ। ବ୍ୟବସାୟୀମାନେ ଜଟିଳ ଜିଏସ୍ଟି ନେଟଓ୍ଵର୍କ ପ୍ରକ୍ରିୟା ଏବଂ ବର୍ଦ୍ଧିତ ନିୟମ ପାଳନ ଶୁଳ୍କକୁ ନେଇ ଅଭିଯୋଗ କରୁଥିଲେ।
ଜିଏସ୍ଟି କମ୍ପୋଜିସନ୍ ସ୍କିମ୍ର ସୀମା ମଧ୍ୟ ୭୫ ଲକ୍ଷ ଟଙ୍କାରୁ ବଢ଼ାଇ ୧ କୋଟି ଟଙ୍କା କରାଯାଇଛି। ଯେଉଁ ବ୍ୟବସାୟୀମାନେ ଏହି ସ୍କିମ୍ର ଲାଭ ହାସଲ କରିବେ ସେମାନଙ୍କୁ ଆଉ ଜଟିଳ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ ନାହିଁ। ସେମାନଙ୍କୁ କେବଳ ୧ରୁ ୫ ପ୍ରତିଶତ ମଧ୍ୟରେ ଟିକସ ଦେବାକୁ ପଡ଼ିବ। କମ୍ପୋଜିସନ୍ ସ୍କିମ୍ରେ ବ୍ୟବସାୟୀମାନଙ୍କୁ ୧ ପ୍ରତିଶତ, ନିର୍ମାତାମାନଙ୍କୁ ୨ପ୍ରତିଶତ ଏବଂ ରେସ୍ତୋରାଁଗୁଡ଼ିକୁ ୫ପ୍ରତିଶତ ଟିକସ ଦେବାକୁ ପଡ଼ିବ ବୋଲି ଜେଟ୍ଲି କହିଛନ୍ତି।
ରପ୍ତାନିକାରୀମାନଙ୍କ ପାଇଁ ମଧ୍ୟ ଜିଏସ୍ଟି ପରିଷଦ କେତେକ ସ୍ୱାଗତଯୋଗ୍ୟ ପଦକ୍ଷେପ ଘୋଷଣା କରିଛି।
ରପ୍ତାନିକାରୀମାନଙ୍କୁ ଜୁଲାଇ ଏବଂ ଅଗଷ୍ଟ ମାସର ରିଟର୍ଣ୍ଣ ଚେକ୍ ଜରିଆରେ ଅକ୍ଟୋବର ୧୦ ଏବଂ ଅକ୍ଟୋବର ୧୮ରେ ପ୍ରଦାନ କରାଯିବ।
୨୦୧୮ ଏପ୍ରିଲ୍ ୧ ସୁଦ୍ଧା ରପ୍ତାନିକାରୀମାନଙ୍କ ପାଇଁ ଇ-ଓ୍ଵାଲେଟ୍ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ଜରିଆରେ ସବୁ କିଛି ପ୍ରକ୍ରିୟାକରଣ କରାଯିବ।
ଇ-ଓ୍ଵ ବିଲ୍ ଆରମ୍ଭ କରିବା ସମୟ ସୀମା ୨୦୧୮ ମାର୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।
ସେହିପରି ଗହଣା ଏବଂ ରତ୍ନପଥର ଉପରେ ପୂର୍ବରୁ ଯେଉଁ ଜିଏସ୍ଟି ବିଜ୍ଞପ୍ତି ଜାରି କରାଯାଇଥିଲା ତାହାକୁ ପ୍ରତ୍ୟାହାର କରାଯାଇଛି। ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଖରିଦ କରୁଥିବା କୌଣସି ଲୋକଙ୍କୁ ପାନ୍ କିମ୍ବା ଆଧାର ବିବରଣୀ ପ୍ରଦାନ କରିବାକୁ ପଡ଼ିବ ନାହିଁ ବୋଲି ସରକାର ଜଣାଇଛନ୍ତି। ଏ ସମ୍ପର୍କିତ ବିଜ୍ଞପ୍ତି ଖୁବ୍ଶୀଘ୍ର ଜାରି କରାଯିବ। ରତ୍ନପଥର, ଗହଣା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ କାରବାର କରୁଥିବା ଯେଉଁ ସଂସ୍ଥାଗୁଡ଼ିକର ବାର୍ଷିକ କାରବାର ପରିମାଣ ୨ କୋଟି ଟଙ୍କାରୁ ଅଧିକ ସେମାନେ ମନି ଲଣ୍ଡରିଂ ନିୟମ ପରିସରରେ ରହିବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।