ଖୁଚୁରା ବ୍ୟବସାୟୀ ୨ ଟନରୁ ଅଧିକ ପିଆଜ ଗଚ୍ଛିତ ରଖିପାରିବେ ନାହିଁ

ନୂଆଦିଲ୍ଲୀ : ଦେଶରେ ଏବେ ପିଆଜର ଦର ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଦେଶର ଅଧିକାଂଶ ରାଜ୍ୟରେ ପିଆଜ ଦର ଏବେ ୨୦୦ ଟଙ୍କା ନିକଟବର୍ତ୍ତି ହେଲାଣି । କେତେକ ସ୍ଥାନରେ ତ ଏହା କିଲୋ ପିଛା ୨୦୦ ଟଙ୍କା ଟପିଲାଣି । ଏହାକୁ ଦୃଷ୍ଟିରେ ରଖି ସରକାର ପୁଣି ଥରେ ପିଆଜର ଷ୍ଟକ ଲିମିଟ୍‌ ( ସର୍ବୋଚ୍ଚ ଗଚ୍ଛିତ ମାତ୍ରା)କୁ କମାଇଦେଇଛନ୍ତି । ନୂଆ ନିୟମ ଅନୁସାରେ ଜଣେ ଖୁଚୁରା ବ୍ୟବସାୟୀ ୨ ଟନ ପର୍ଯ୍ୟନ୍ତ ପିଆଜ ଗଚ୍ଛିତ ରଖିପାରିବେ । ଗତ ୩ ତାରିଖରେ ସରକାର ଏହାକୁ ୧୦ଟନରୁ ହ୍ରାସ କରି ୫ ଟନ କରିଥିଲେ ।

ଏହାଠାରୁ ଅଧିକ ରଖିଲେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ । ଜମାଖୋର ବ୍ୟବସାୟୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ମୁଖ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଏବର୍ଷ ଲଗାଣ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ ହ୍ରାସ ପାଇଛି । ଏହି କାରଣରୁ ଦେଶରେ ପିଆଜ ନିଅଣ୍ଟ ହେବା ସହ ଦରବୃଦ୍ଧି ପାଇଛି । ଦେଶରେ ପିଆଜ ଉପଲବ୍ଧତା ବୃଦ୍ଧି କରିବାକୁ ସରକାର ବିଦେଶରୁ ଆମଦାନୀ କରୁଛନ୍ତି ।

ସମ୍ବନ୍ଧିତ ଖବର