୨୬/୧୧ ଘଟଣା ପରେ ବାୟୁସେନା ପାକିସ୍ତାନର ଆତଙ୍କବାଦୀ ଶିବିରଗୁଡ଼ିକୁ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲା,ସରକାର ଅନୁମତି ଦେଲେନାହିଁ : ଧାନୋଆ

ମୁମ୍ବାଇ : ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଦେବାକୁ ପ୍ରସ୍ତୁତ ଥିଲା । କିନ୍ତୁ ତତକାଳୀନ ୟୁପିଏ ସରକାର ଅନୁମତି ଦେଇନଥିଲେ ବୋଲି କହିଛନ୍ତି ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ.ଧାନୋଆ ।

ଏକ ସ୍ଥାନୀୟ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ପାକିସ୍ତାନର କେଉଁଠାରେ ଆତଙ୍କବାଦୀ ଶିବିର ଥିଲା ତାହା ବାୟୁସେନା ଜାଣିଥିଲା । ସେଗୁଡ଼ିକ ଉପରେ ଆକ୍ରମଣ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲା । କିନ୍ତୁ ଭାରତ ସରକାର ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ ।
ସୂଚନାଯୋଗ୍ୟ ଯେ ୨୬ ନଭେମ୍ବର ୨୦୦୮ରେ ପାକିସ୍ତାନୀ ଆତଙ୍କବାଦୀମାନେ ମୁମ୍ବାଇ ଉପରେ ଆକ୍ରମଣ କରିଥିଲେ । ସେମାନେ ମୁମ୍ବାଇର ନାରିମନ ପଏଣ୍ଟ, ଛତ୍ରପତି ଶିବାଜୀ ଟର୍ମିନସ, ଛାବାଦ ହାଉସ, ତାଜ ହୋଟେଲ ଆଦି ସ୍ଥାନରେ ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଏହି ଘଟଣାରେ ୧୬୬ ଜଣ ମୃତ୍ୟୁବରଣ କରିଥିଲେ ।

ସେ କହିଛନ୍ତି ଯେ ୨୦୦୧ ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ବାୟୁସେନା ପାକିସ୍ତାନକୁ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲା । କିନ୍ତୁ ସରକାରଙ୍କଠାରୁ ଅନୁମତି ମିଳିଲାନାହିଁ । ସୂଚନାଯୋଗ୍ୟ ଯେ ବିଏସ ଧାନୋଆ ୩୧ ଡିସେମ୍ବର ୨୦୧୬ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବାୟୁସେନା ମୁଖ୍ୟ ଥିଲେ । ତାଙ୍କ ସମୟରେ ଗତ ଫେବ୍ରୁଆରୀ ମାସରେ ଭାରତ ବାଲାକୋଟ ଏୟାରଷ୍ଟ୍ରାଇକ କରିଥିଲା ।

ସମ୍ବନ୍ଧିତ ଖବର