ଅଯୋଧ୍ୟା ରାୟ: ବ୍ୟକ୍ତିବିଶେଷଙ୍କ ସୁରକ୍ଷା ସ୍ଥିତି ସମୀକ୍ଷା କଲେ ସରକାର

ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଉତ୍ତର ପ୍ରଦେଶ ସରକାର ବିଭିନ୍ନ ଧାର୍ମିକ ନେତା ତଥା ମାମଲା ସହ ସଂପୃକ୍ତ ବ୍ୟକ୍ତିତ୍ବମାନଙ୍କ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ମୋଟ ୫୯ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ସ୍ଥିତି ସମୀକ୍ଷା କରାଯାଇଛି। ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ କରିବା ଏବଂ ସୁନ୍ନି ୱାକଫ୍‌ ବୋର୍ଡକୁ ଅଯୋଧ୍ୟା‌ରେ ଅନ୍ୟତ୍ର ପାଞ୍ଚ ଏକର ଜମି ଯୋଗାଇ ଦେବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାୟ ପ୍ରକାଶ ପାଇବା ପରେ ଗୁଇନ୍ଦା ରିପୋର୍ଟ ଆଧାରରେ ଏହି ୫୯ ଜଣଙ୍କ ସୁରକ୍ଷା ସ୍ଥିତିର ସମୀକ୍ଷା କରାଯାଇଛି ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ଜଣେ ଉଚ୍ଚସ୍ତରୀୟ ଅଧିକାରୀ ସୂଚନା ଦେଇଛନ୍ତି। ଅଯୋଧ୍ୟା ରାୟ ପରିପ୍ରେକ୍ଷୀରେ ଯେଉଁମାନଙ୍କ ଜୀବନ ପ୍ରତି ସର୍ବାଧିକ ବିପଦ ସୃଷ୍ଟି ହୋଇଛି ସେମାନଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଅଧିକାରୀଜଣକ କହିଛନ୍ତି। ଉତ୍ତର ପ୍ରଦେଶ ସିହା ସେଣ୍ଟ୍ରାଲ୍‌ ୱକଫ୍‌ ବୋର୍ଡ ଅଧ୍ୟକ୍ଷ ୱାସିମ୍‌ ରିଜ୍‌ଭି, ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ୍‌ ୱାକଫ୍‌ ବୋର୍ଡ ଅଧ୍ୟକ୍ଷ ଜୁଫର ଫାରୁକ୍ବିଙ୍କୁ ବର୍ତ୍ତମାନ ୱାଇ ଶ୍ରେଣୀର ନିରାପତ୍ତା ଯୋଗାଇ ଦିଆଯିବ। ସେହିଭଳି ଉତ୍ତର ପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ସୁରେଶ ରାଣା ଏବଂ ନନ୍ଦ ଗୋପାଳ ଗୁପ୍ତା ନନ୍ଦୀଙ୍କୁ ଜେଡ଼୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯିବ। ସେହିଭଳି ବିବାଦୀୟ ବିଜେପି ବିଧାୟକ ସଙ୍ଗୀତ ସୋମ୍‌ଙ୍କୁ ମଧ୍ୟ ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର