ନୂଆଦିଲ୍ଲୀ : ଭାରତୀୟ ସେନାରେ ମହିଳାମାନଙ୍କୁ ପର୍ମାନେଣ୍ଟ କମିଶନ ବା ସ୍ଥାୟୀ ନିଯୁକ୍ତି ମିଳିଛି । ଏହା ଫଳରେ ଏଣିକି ଭାରତୀୟ ସେନାରେ ମହିଳାମାନେ ପୁରୁଷ ସୈନ୍ୟମାନଙ୍କ ପରି ସମାନ ମାନ୍ୟତା ପାଇପାରିବେ ଓ ଅଧିକ ଗୁରୁଦାୟିତ୍ୱ ଗ୍ରହଣ କରିପାରିବେ । ଏ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସରକାରୀଭାବେ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଏହି ନିର୍ଦ୍ଦେଶ ପରେ ଭାରତୀୟ ସେନାର ୧୦ଟି ବିଭାଗରେ ସର୍ଟ ସର୍ଭିସ କମିଶନ ଭିତ୍ତିରେ କାର୍ଯ୍ୟରତ ମହିଳା ଅଫିସରମାନଙ୍କୁ ପର୍ମାନେଣ୍ଟ କମିଶନ ମିଳିବ । ଏହା ଫଳରେ ସେମାନେ ଅବସର ପର୍ଯ୍ୟନ୍ତ ସେବାରେ ରହିପାରିବେ ।
ଏହା ସହିତ ମହିଳା ଅଫିସରମାନଙ୍କ ପାଇଁ ଏକ ପର୍ମାନେଣ୍ଟ କମିଶନ ସିଲେକ୍ସନ ବୋର୍ଡ ଗଠନ କରାଯାଇଛି । ଏହି ବୋର୍ଡ ସର୍ଟ ସର୍ଭିସ କମିଶନରୁ ପର୍ମାନେଣ୍ଟ କମିଶନ ଯିବାକୁ ଇଚ୍ଛୁକ ମହିଳା ସେନା ଅଧିକାରୀଙ୍କ ଚୟନ କରିବ ।
ଗତ ଫେବ୍ରୁଆରୀ ୧୭ରେ ସୁପ୍ରିମ କୋର୍ଟ ମହିଳାମାନଙ୍କୁ ତିନିମାସ ମଧ୍ୟରେ ପର୍ମାନେଣ୍ଟ କମିଶନ ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ ୭ ତାରିଖରେ ଏହି ସମୟ ସୀମାକୁ ଆଉ ମାସେ ବଢାଇଦେଇଥିଲେ ସୁପ୍ରିମ କୋର୍ଟ ।
୨୦ ବର୍ଷିୟା ଚାକିରିରେ ୧୪ ବର୍ଷ ଅତିବାହିତ କରିଥିବା ବା ନ କରିଥିବା ସମସ୍ତ ସର୍ଟ ସର୍ଭିସ୍ କମିସନ୍ ମହିଳା ଅଧିକାରୀଙ୍କୁ ପର୍ମାନେଣ୍ଟ୍ କମିଶନ୍ ବୋଲି ବିଚାର କରିବାକୁ ସୁପ୍ରିମ୍ କୋର୍ଟ ନିର୍ଦେଶ ଦେଇଥିଲେ।