ମୁହଁ ଖୋଲିଲେ ସୁବ୍ରମଣ୍ୟମ୍‌ ସ୍ବାମୀ, ଦୁର୍ନୀତିଖୋରଙ୍କୁ ବଞ୍ଚାଉଛନ୍ତି ସରକାର

ବର୍ମା ଜଣେ ‌ସଚ୍ଚୋଟ ବ୍ୟକ୍ତି

ନୂଆଦିଲ୍ଲୀ: ସିବିଆଇରେ ଦେଖାଦେଇଥିବା ଅନ୍ତଃକନ୍ଦଳ ଏବଂ ଏ ବାବଦରେ ସରକାର ନେଇଥିବା କାର୍ଯ୍ୟାନୁଷ୍ଠାନ ପରେ ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ ମୁହଁ ଖୋଲିଛନ୍ତି। ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଯିବାକୁ ବିରୋଧ କରି ସେ ସିଧା ସରକାରଙ୍କୁ ସମାଲୋଚନା କରିଛନ୍ତି। ଦୁର୍ନୀତିଖୋରଙ୍କୁ ସୁରକ୍ଷା ଯୋଗାଇବାକୁ ସରକାର ‘ବେପରୁଆ ଭାବେ ସଂକଳ୍ପ ନେଇଥିବା’ ଭଳି ମନେହେଉଛି ବୋଲି ସେ କହିଛନ୍ତି। ଏକ ଟ୍ବିଟ୍‌ରେ ସେ କହିଛନ୍ତି, ବର୍ମା ଜଣେ ସଚ୍ଚୋଟ ବ୍ୟକ୍ତି। ଦିଲ୍ଲୀରେ ପୁଲିସ କମିସନର ଥିବା ବେଳେ ସେ ଉଚ୍ଚକୋଟୀର କାମ କରିଛନ୍ତି। ତେଣୁ ତାଙ୍କୁ ପୁଣି ସିବିଆଇକୁ ଫେରାଇ ଆଣିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବେ ବୋଲି କହିଛନ୍ତି। ସ୍ବାମୀ କହିଛନ୍ତି, ସିବିଆଇ ବିପର୍ଯ୍ୟୟ ଘଟଣାରେ ଜଡ଼ିତ ଥିବା ଲୋକମାନେ ଇଡି ଅଧିକା‌ରୀ ରାଜେଶ୍ବର ସିଂହଙ୍କୁ ନିଲମ୍ବିତ କରିବା ପାଇଁ ମସୁଧା କରୁଥିଲେ। ପୂର୍ବ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିବାରୁ ରୋକିବା ପାଇଁ ସିଂହଙ୍କୁ ହଟାଯିବାର ଥିଲା। ଏଭଳି ହୋଇଥିଲେ, ସେ ସମସ୍ତ ଦୁର୍ନୀତି ମାମଲାକୁ ପ୍ରତ୍ୟାହାର କରିନେଇଥାନ୍ତେ ବୋଲି ସ୍ବାମୀ ଦର୍ଶାଇଛନ୍ତି। ସେ କହିଛନ୍ତି, ଯଦି ମୋ ସରକାର ଦୁର୍ନୀତିଖୋରଙ୍କୁ ସୁରକ୍ଷା ଯୋଗାନ୍ତି, ତେବେ ଦୁର୍ନୀତି ମାମଲାରେ ଲଢ଼ିବାର କିଛି ମାନେ ରହିବ ନାହିଁ।

ସମ୍ବନ୍ଧିତ ଖବର