ବଢିବ ବାୟୁସେନାର ଶକ୍ତି, କିଣାଯିବ ୩ ହଜାର କୋଟିର ‘ଅସ୍ତ୍ର’ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପାଇଁ ୩ ହଜାର କୋଟି ଟଙ୍କା ମୂଲ୍ୟର ଅସ୍ତ୍ର ମାକ୍-୧ କ୍ଷେପଣାସ୍ତ୍ର ପ୍ରଣାଳୀ ଖରିଦ କରିବାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ଡାଇନାମିକ୍ସ ସହ ଚୁକ୍ତି କରିଛି ।

ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଏକ ବିୟୋଣ୍ଡ ଭିଜୁଆଲ ରେଞ୍ଜ କ୍ଷେପଣାସ୍ତ୍ର ଯାହାକୁ ଆକାଶମାର୍ଗରୁ ନିକ୍ଷେପ କରିହେବ । ଏହି କ୍ଷେପଣାସ୍ତ୍ରର ଜ୍ଞାନକୌଶଳକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ (ଡିଆରଡିଓ) ପକ୍ଷରୁ ବିକଶିତ କରାଯାଇଛି । ଡିଆରଡିଓର ଟେକନଲୋଜୀକୁ ବ୍ଯବହାର କରି ଭାରତ ଡାଇନାମିକ୍ସ ଏହି କ୍ଷେପଣାସ୍ତ୍ରର ଉତ୍ପାଦନ କରୁଛି ।

ଏହି କ୍ଷେପଣାସ୍ତ୍ର ସୁଖୋଇ, ମିଗ-୨୯, ମିରେଜ-୨୦୦୦, ତେଜସ ଆଦି ଲଢୁଆ ବିମାନ ସହ ସଂଯୁକ୍ତ କରିହେବ । ଏହା ଦ୍ରୁତ ଗତିରେ ଯାଉଥିବା ଶତ୍ରୁପକ୍ଷର ସୁପରସୋନିକ ଲଢୁଆ ବିମାନକୁ ଧ୍ବଂସ କରିପାରିବ । ଏହା ଉଭୟ ଦିନ ଓ ରାତିରେ କାମ କରିପାରିବ । ଏହାର ରେଞ୍ଜ ହେଉଛି ୧୦୦ କିଲୋମିଟର ଓ ଏହା ଅତ୍ୟାଧୁନିକ ନାଭିଗେସନ ଓ ଗାଇଡାନ୍ସ ବ୍ୟବସ୍ଥାରେ ସଜ୍ଜିତ ।

୨୦୧୯ରେ ଓଡ଼ିଶାର ଚାନ୍ଦିପୁରଠାରେ ଡିଆରଡିଓ ପକ୍ଷରୁ ଏକ ସୁଖୋଇ-୩୦ ଏମକେଆଇ ବିମାନରୁ ଅସ୍ତ୍ର-ମାକ୍-୧ର ସଫଳ ପରୀକ୍ଷଣ କରାଯାଇଥିଲା ।

ଆକାଶ ମାର୍ଗରେ ଶତ୍ରୁର ବିମାନର ମୁକାବିଲା କରିବାକୁ ଭାରତୀୟ ବାୟୁସେନା ପୂର୍ବରୁ ବିଦେଶରୁ ଆସୁଥିବା ବିୟୋଣ୍ଡ ଭିଜୁଆଲ ରେଞ୍ଜ କ୍ଷେପଣାସ୍ତ୍ର ଉପରେ ନିର୍ଭର କରୁଥିଲା । ବାୟୁସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଆରଡିଓ ଏହି କ୍ଷେପଣାସ୍ତ୍ରର ବିକାଶ କରିଛି ।

ସମ୍ବନ୍ଧିତ ଖବର