ବଦଳିବନି ପାସପୋର୍ଟ , ଠିକଣା ପ୍ରମାଣପତ୍ରଭାବେ ବ୍ୟବହାର ହୋଇପାରିବ

ନୂଆଦିଲ୍ଲୀ:  ବିଭିନ୍ନ ଆଡୁ ସମାଲୋଚନା ସହିବା ପରେ କେନ୍ଦ୍ର ସରକାର କମଳା ରଙ୍ଗର ପାସପୋର୍ଟ ବାହାର କରିବା ଯୋଜନାକୁ ସ୍ଥଗିତ ରଖିଛନ୍ତି । କେବେଳ ଏତିକି ନୁହେଁ ଶେଷପୃଷ୍ଠାରେ ମଧ୍ୟ ପୂର୍ବଭଳି ଠିକଣା ପ୍ରିଣ୍ଟ କରାଯିବ । ଏ ସଂପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ପୂର୍ବରୁ ପ୍ରଚଳିତ ପାସପୋର୍ଟ ଅବ୍ୟାହତ ରହିବ ଓ ସେଥିରେ କିଛି ପରିବର୍ତ୍ତନ ଅଣାଯିବ ନାହିଁ । ଏହାର ଅର୍ଥ ହେଉଛି ପୂର୍ବଭଳି ପାସପୋର୍ଟକୁ ଠିକଣା ପ୍ରମାଣପତ୍ର ଭାବେ ବ୍ୟବହାର କରିହେବ ।

ସୂଚନାଯୋଗ୍ୟ ଯେ କିଛିଦିନ ତଳେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପାସପୋର୍ଟର ଶେଷ ପୃଷ୍ଠାରେ ଠିକଣା ନ ଛପାଇବାକୁ ବିଚାର କରାଯାଉଥିଲା । ଏବେ ପ୍ରଚଳିତ ପାସପୋର୍ଟଗୁଡିକର ମଲାଟର ଠିକ୍‌ ପଛ ପୃଷ୍ଠାରେ ପାସ୍‌ପୋର୍ଟ ଧାରୀ ଭାରତୀୟ ନାଗରିକଙ୍କ ନାଁ ଓ ଫଟୋ ରହୁଛି  ଓ ପାସପୋର୍ଟରେ ଶେଷ ପୃଷ୍ଠାରେ ଠିକଣା ଲେଖା ରହୁଛି । କିନ୍ତୁ ସରକାର ଯେଉଁ ନୂଆ ଧରଣର ପାସପୋର୍ଟ ବାହାର କରିବାକୁ ଯୋଜନା କରୁଥିଲେ ସେଥିରେ ଶେଷପୃଷ୍ଠାରେ ଲୋକମାନଙ୍କର ଠିକଣା ଲେଖା ରହିନଥାନ୍ତା ଓ ଏହା ଖାଲି ରହିଥାନ୍ତା । କାରଣ ପାସପୋର୍ଟରେ ବ୍ୟକ୍ତିର ଠିକଣା ଓ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ଦେବାର ଆଜିକାଲି କୌଣସି ଆବଶ୍ୟକତା ନାହିଁ । ପାସପୋର୍ଟରେ ଏବେ ବାରକୋର୍ଡ ରହୁଥିବାରୁ  ବିଦେଶ ବିଭାଗ, ସୁରକ୍ଷା ଏଜେନ୍ସି ମାନେ ଏହି ବାରକୋର୍ଡ ରିଡ୍‌ କରି ଆବଶ୍ୟକ ତଥ୍ୟ ପାଇପାରୁଛନ୍ତି ।  ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା କରୁଥିଲେ । କିନ୍ତୁ ଏହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା ହୋଇଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ ଯେ ମୋଦି ସରକାରଙ୍କ ଏହା ଏକ ପକ୍ଷପାତମୂଳକ ବ୍ୟବହାର । ଏହି ପଦକ୍ଷେପ ପ୍ରମାଣିତ କରୁଛି ସେ ସରକାର ପ୍ରବାସୀ ଶ୍ରମିକମାନଙ୍କୁ ଦ୍ୱିତୀୟଶ୍ରେଣୀ ନାଗରିକଭାବେ ଦେଖୁଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ ।

 

ସମ୍ବନ୍ଧିତ ଖବର