ପୁଣି ଫେସବୁକ କୁ ନୋଟିସ ପଠାଇଲେ ସରକାର.. କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ସାଇଟ୍‌ ଫେସବୁକ ନିଜ ୟୁଜର ( ବ୍ୟବହାରକାରୀ)ଙ୍କ ବିନାଅନୁମତିରେ ବ୍ୟକ୍ତିଗତ ତଥ୍ୟ ବିଭିନ୍ନ ମୋବାଇଲ ହାଣ୍ଡସେଟ କମ୍ପାନିଙ୍କୁ ପ୍ରଦାନ କରିଥିବା ଖବର ଆସିବା ପରେ ଭାରତ ସରକାର ତତ୍ପର ହୋଇ ଉଠିଛନ୍ତି । ଏ ସଂପର୍କରେ ଜବାବ ଦାଖଲ କରିବାକୁ ଫେସବୁକ ପାଖକୁ ସରକାର ଏକ ନୋଟିସ ପଠାଇଛନ୍ତି । କେନ୍ଦ୍ର ଇଲେକ୍ଚ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ପଠାଯାଇଥିବା ଏହି ନୋଟିସର ଉତ୍ତର ଜୁନ ୨୦ ସୁଦ୍ଧା ପ୍ରଦାନ କରିବାକୁ କୁହାଯାଇଛି । ନୋଟିସରେ କେଉଁ କେଉଁ କମ୍ପାନିକୁ କି କି ତଥ୍ୟ ଦିଆଯାଇଛି ସେ ସଂପର୍କରେ ଜବାବ ରଖିବାକୁ କୁହାଯାଇଛି ।

କିଛିଦିନ ତଳେ ଆମେରିକାର ପ୍ରମୁଖ ସମ୍ବାଦପତ୍ର ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଥିଲା ଯେ ନିଜର ଉପସ୍ଥିତିକୁ ସଂପ୍ରସାରିତ କରିବାକୁ ଫେସବୁକ ପ୍ରାୟ ୬୦ଟି ମୋବାଇଲ ହାଣ୍ଡସେଟ ନିର୍ମାତା କମ୍ପାନିଙ୍କ ସହ ବୁଝାମଣା କରିଥିଲା । ଏମାନଙ୍କ ମଧ୍ୟରେ ଅଛନ୍ତି ଆପଲ,ସାମସଙ୍ଗ, ବ୍ଲାକବେରୀ, ମାଇକ୍ରୋସଫ୍ଟ, ଓପୋ, ହ୍ଵାଏଇ ଆଦି କମ୍ପାନି । ଏହି ବୁଝାମଣା ଅନୁସାରେ ଏସବୁ କମ୍ପାନିଙ୍କ ହ୍ୟାଣ୍ଡସେଟ୍‌ରେ ମୂଳରୁ ହିଁ ଫେସବୁକ ଲୋଡ ହୋଇ ଆସିଥାଏ । ଏହା ଦ୍ୱାରା ଫେସବୁକ ଅଧିକରୁ ଅଧିକ ୟୁଜର ସଂଗ୍ରହ କରିପାରୁଥିଲା । ଅପରପକ୍ଷରେ ହ୍ୟାଣ୍ଡସେଟ କମ୍ପାନିମାନେ ଫେସବୁକମାଧ୍ୟମରେ ୟୁଜରମାନଙ୍କ ଓ ଏପରିକି ସେମାନଙ୍କ ବନ୍ଧୁମାନଙ୍କ ସଂପର୍କରେ ତଥ୍ୟ ହାସଲ କରିପାରୁଥିଲେ । ୟୁଜରମାନଙ୍କ ବିନା ଅନୁମତିରେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଅନ୍ୟ କମ୍ପାନିଙ୍କୁ ପ୍ରଦାନ କରିବା ଦ୍ୱାରା ଫେସବୁକ ଗୋପନୀୟତା ଆଇନର ଉଲ୍ଲଙ୍ଘନ କରୁଛି ବୋଲି ଅଭିଯୋଗ ହୋଇଛି ।

ଗତ ମାର୍ଚ୍ଚ ମାସରେ ମଧ୍ୟ ସରକାର ଫେସବୁକକୁ ଏକ ନୋଟିସ ପଠାଇଥିଲେ । କେମ୍ରିଜ ଆନାଲିଟିକା ମାମଲାରେ ଏହି ନୋଟିସ ପଠାଯାଇଥିଲା ।

ସମ୍ବନ୍ଧିତ ଖବର