ସରକାର ଅନ୍ନଦାତାଙ୍କ ସହନଶୀଳତାର ପରୀକ୍ଷା ନିଅନ୍ତୁ ନାହିଁ : ଶରଦ ପାଓ୍ଵାର

ନୂଆଦିଲ୍ଲୀ : କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା । କେନ୍ଦ୍ର ସରକାର ଅନ୍ନଦାତାଙ୍କ ସହନଶୀଳତା ଓ ଧୈର୍ଯ୍ୟର ପରୀକ୍ଷା ନିଅନ୍ତୁ ନାହିଁ ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର ସତର୍କ କରାଇଦେଇଛନ୍ତି । ଯଦି ସମୟ ଥାଉ ଥାଉ କୃଷକମାନଙ୍କର ଏହି ଅସନ୍ତୋଷର ନିରାକରଣ କରାନଯାଏ ତେବେ ସାରା ଦେଶର ଜନତା ଏହି ଆନ୍ଦୋଳନରେ ଯୋଗ ଦେବେ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଏହି କୃଷି ଆଇନଗୁଡ଼ିକୁ କେନ୍ଦ୍ର ସରକାର ତରବରିଆ ଭାବେ ପ୍ରଣୟନ କରିଛନ୍ତି । ଯଦି ସମୟ ଥାଉ ଥାଉ ସରକାର ଏହି ଆଇନକୁ ପ୍ରତ୍ୟାହାର ନ କରନ୍ତି, ତେବେ ଏହି ଆନ୍ଦୋଳନ ସମଗ୍ର ଦେଶକୁ ବ୍ୟାପିବାର ଆଶଙ୍କା ରହିଛି । ଏହି ଅଚଳାବସ୍ଥାର ସମାଧାନ ହେଉଛି ଯେ ସରକାର ଏହି ଆଇନର ପ୍ରତ୍ୟାହାର କରନ୍ତୁ ଓ କୃଷକମାନଙ୍କ ସହ ଆଲୋଚନା କରନ୍ତୁ ।

ପାଓ୍ଵାର କହିଛନ୍ତି ଯେ କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା, ସେମାନଙ୍କ ଧୈର୍ଯ୍ୟର ପରୀକ୍ଷା କରାନଯାଉ । କୃଷକମାନଙ୍କ ଦାବିକୁ ନେଇ ସରକାରଙ୍କ କଠୋର ଆଭିମୁଖ୍ୟ ଯୋଗୁଁ କୃଷକମାନେ ଆଇନ ପ୍ରତ୍ୟାହାର ପାଇଁ ଜିଦ ଧରୁଛନ୍ତି ।

ପୂର୍ବରୁ ୟୁପିଏ ସରକାରଙ୍କ ଅମଳରେ କୃଷି ମନ୍ତ୍ରୀ ଥିବା ପାଓ୍ଵାର କହିଛନ୍ତି ଯେ, ଏହି ଆନ୍ଦୋଳନରେ ଆହୁରି ଅନେକ କୃଷକ ଯୋଗ ଦେବାକୁ ଆସୁଛନ୍ତି । ଶୁକ୍ରବାରଦିନ ପ୍ରାୟ ୭୦୦ ଟ୍ରାକ୍ଟରରେ କୃଷକମାନେ ସିଙ୍ଗୁ ସୀମାରେ ପହଞ୍ଚିଛନ୍ତି । ଏଣୁ ଏହି ଆନ୍ଦୋଳନ ଆହୁରି କିଛି ଦିନ ଧରି ଚାଲିବ ।

ସମ୍ବନ୍ଧିତ ଖବର