ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ସହାୟତା କରାଯାଉଛି  : ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ : ୟୁକ୍ରେନ୍ ସଂକଟ ସମ୍ପର୍କରେ ସଂସଦରେ ବୟାନ ରଖିଛନ୍ତି କେନ୍ଦ୍ର ସରକାର । ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ସବୁପ୍ରକାରର ସହାୟତା ପ୍ରଦାନ କରାଯାଉଛି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି କହିଛନ୍ତି ।

ସେ କହିଛନ୍ତି ଆମେ ଏକ ଆଡଭାଇଜରି ( ଉପଦେଶାବଳୀ) ଜାରି କରିଛୁ । ଏହା ମାଧ୍ୟମରେ ଲୋକମାନଙ୍କ ପାଖକୁ ସଠିକ ସୂଚନା ପହଞ୍ଚିବ । ଯେ ୟୁକ୍ରେନ୍ ରାଜଧାନୀ କିଏଭଠାରେ ଥିବା ଭାରତୀୟ ଦୂତାବାସ ସେଠାରେ ଥିବା ଭାରତୀୟମାନଙ୍କ ସହାୟତା କରୁଛି । ୟୁକ୍ରେନରେ ଥିବା ଭାରତୀୟମାନେ  ଭାରତକୁ ଫେରିବା କିମ୍ବା ଅନ୍ୟ ଯେକୌଣସି ପ୍ରକାରର ସହାୟତା ପାଇଁ ଦୂତାବାସକୁ ଯୋଗାଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

ଆଜି କିଏଭରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଜାରି ଆଡଭାଇଜରିରେ କୁହାଯାଇଥିଲା ଯେ, ଅତି ଜରୁରୀ ନଥିଲେ ୟୁକ୍ରେନରେ ଥିବା ଭାରତୀୟମାନେ ଦେଶକୁ ସାମୟିକଭାବେ ଫେରିଆସନ୍ତୁ । ଯେଉଁମାନେ ସେଠାରେ ଅଛନ୍ତି ସେମାନେ ୟୁକ୍ରେନର ବିଭିନ୍ନ ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଯେଉଁମାନେ ଜରୁରୀ କାମ ପାଇଁ ସେଠାରେ ଅଛନ୍ତି, ନିଜର ଅବସ୍ଥାନ ସମ୍ପର୍କରେ ଦୂତାବାସକୁ ଅବଗତ କରନ୍ତୁ ।

ଅନ୍ୟପକ୍ଷରେ ଆମେରିକା ସରକାର କିଏଭରେ ଥିବା ନିଜର ଦୂତାବାସକୁ ସାମୟିକଭାବେ ଏଲଭିଭ ସହରକୁ ଉଠାଇନେଇଛନ୍ତି ବୋଲି ପରରାଷ୍ଟ୍ର ସଚିବ ଆନ୍ଥୋନି ବ୍ଲିଙ୍କେନ କହିଛନ୍ତି ।

ଆଜି ଋଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ୟୁକ୍ରେନ ସୀମାକୁ ଲାଗିଥିବା ଋଷୀୟ ମିଲିଟାରୀ ଡିଷ୍ଟ୍ରିକ୍ଟର କିଛି ସୈନ୍ୟ ନିଜ ନିଜ ବାରାକକୁ ଫେରିଛନ୍ତି । ସେମାନେ ନିଜର ସମରାଭ୍ୟାସ ଶେଷ କରି ଫେରିଛନ୍ତି ।

 

 

ସମ୍ବନ୍ଧିତ ଖବର