ନୂଆଦିଲ୍ଲୀ: ୨୦୨୧ ଜୁଲାଇ ସୁଦ୍ଧା ୪୦୦ରୁ ୫୦୦ ନିୟୁତ ଡୋଜ୍‌ କରୋନାଭାଇରସ୍ ଟିକା ସଂଗ୍ରହ କରି ପ୍ରାୟ ୨୫ କୋଟି ଲୋକଙ୍କୁ ଦେବା ଲାଗି ସରକାର ଲକ୍ଷ୍ୟ ରଖିଥିବା କଥା ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି। ‘ରବିବାର ସମ୍ବାଦ’ର ଚତୁର୍ଥ ଅଧ୍ୟାୟରେ ସାମାଜିକ ଗଣମାଧ୍ୟମ ଅନୁଗାମୀମାନଙ୍କ ପ୍ରଶ୍ନର ଉତ୍ତର ଦେଇ ହର୍ଷ ବର୍ଦ୍ଧନ କହିଲେ ଯେ, ଏକ ଉଚ୍ଚସ୍ତରୀୟ କମିଟି କରୋନାଭାଇରସ୍ ଟିକାଗୁଡ଼ିକୁ ସବୁ ଦିଗରୁ ପର୍ଯ୍ୟାଲୋଚନା କରୁଛି।

Advertisment

ହର୍ଷ ବର୍ଦ୍ଧନ କହିଛନ୍ତି, ୨୦୨୧ ଜୁଲାଇ ସୁଦ୍ଧା ପ୍ରାୟ ୨୫ କୋଟି ଲୋକଙ୍କ ଲାଗି ୪୦୦ ରୁ ୫୦୦ ନିୟୁତ ଡୋଜ୍ ସଂଗ୍ରହ କରି ବ୍ୟବହାର କରିବା ହେଉଛି ଆମର ହାରାହାରି ଆକଳନ ଓ ଲକ୍ଷ୍ୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାଭାଇରସ୍ ଟିକା ପ୍ରସ୍ତୁତ ହୋଇଯିବା ପରେ ତାହାର ନ୍ୟାୟସଙ୍ଗତ ଓ ନିରପେକ୍ଷ ବଣ୍ଟନ  ନିମନ୍ତେ ସୁନିଶ୍ଚିତ ହେବାକୁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି।

publive-image Image Courtesy of PIB

ସେ ପୁଣି କହିଛନ୍ତି, ଦେଶର ପ୍ରତ୍ୟେକ ଲୋକଙ୍କ ପାଇଁ ଟିକା ସୁନିଶ୍ଚିତ କରିବା ହେଉଛି ଆମର ଚରମ ପ୍ରାଥମିକତା। ‘ଫ୍ରଣ୍ଟ୍‌ଲାଇନ୍ ହେଲ୍‌ଥ୍‌କେୟାର୍‌ ୱାର୍କର୍ସ’ଙ୍କ ଲାଗି କରୋନାଭାଇରସ୍ ଟିକାକରଣ କରାଇବା ହେଉଛି ଆମର ସବୁଠୁ ବଡ଼ ପ୍ରାଥମିକତା।

ଏହାଛଡ଼ା, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଭରସା ଦେଇ କହିଛନ୍ତି ଯେ, ଟିକା ହେର୍‌ଫେର୍ କିଂବା କଳାବଜାର ହେବନାହିଁ। ପୂର୍ବ ନିର୍ଦ୍ଧାରିତ ପ୍ରାଥମିକତା ଆଧାରରେ ଏବଂ ଯୋଜନାବଦ୍ଧ ପ୍ରଣାଳୀରେ କରୋନାଭାଇରସ୍ ଟିକା ବଣ୍ଟନ କରାଯିବ। ସାଧୁତା ଏବଂ ଦାୟିତ୍ବଶୀଳତା ସୁନିଶ୍ଚିତ କରିବା ଲାଗି ଆଗାମୀ ମାସମାନଙ୍କରେ ସମଗ୍ର ପ୍ରକ୍ରିୟାର ପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇବ।

ଟିକାର ପାର୍ଶ୍ବ ପ୍ରତିକ୍ରିୟା ସମ୍ବନ୍ଧରେ ହର୍ଷ ବର୍ଦ୍ଧନ କହିଲେ ଯେ, ଟିକା ଫୋଡ଼ା ଯିବା ସ୍ଥାନରେ ବିନ୍ଧା/ଦରଜ, ସାମାନ୍ୟ ଜ୍ବର, ଲାଲ୍ ପଡ଼ିଯିବା, ହୃଦ୍‌ସ୍ପନ୍ଦନ ବୃଦ୍ଧି, ‌ଅଚେତ ହୋଇଯିବା ଆଦି ପରିସ୍ଥିତି ଉପୁଜିପାରେ, କିନ୍ତୁ ଏହା କ୍ଷଣସ୍ଥାୟୀ।