ଓଟିଟି ପ୍ଲାଟଫର୍ମଗୁଡ଼ିକ ପାଇଁ ନିୟମାବଳୀ ପ୍ରଣୟନ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଓଭର ଦି ଟପ୍ ବା ଓଟିଟି ପ୍ଲାଟଫର୍ମଗୁଡ଼ିକର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଖୁବଶୀଘ୍ର ଏକ ନିୟମ ପ୍ରଣୟନ କରିବେ । ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର ସୂଚନା ଦେଇଛନ୍ତି ।

ଦେଶରେ ଗତ କିଛି ବର୍ଷ ହେଲା ଓଟିଟି ପ୍ଲାଟଫର୍ମ ଯେପରିକି ଆମାଜନ ପ୍ରାଇମ, ନେଟଫ୍ଲିକ୍ସ, ଜି-୫, ହଟଷ୍ଟାର, ସୋନି ଲିଭ୍ ଇତ୍ୟାଦି ଗୁଡ଼ିକର ଲୋକପ୍ରିୟତା ବଢିଯାଇଛି । ତେବେ ଏଥିରେ ଅଶ୍ଲୀଳ, ଅଶାଳୀନ ଏବଂ ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟକ୍ରମ ପ୍ରସାରଣ ହେଉଥିବା ଅଭିଯୋଗ ହେଉଛି । ନିକଟରେ ଆମାଜନ ପ୍ରାଇମରେ ପ୍ରସାରିତ ତାଣ୍ଡବ ସିରିଜରେ ହିନ୍ଦୁ ଦେବଦେବୀଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ହେବାପରେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।  ଏହାକୁ ଦୃଷ୍ଟିରେ ରଖି ଓଟିଟି ପ୍ଲାଟଫର୍ମଗୁଡ଼ିକରେ ପ୍ରସ୍ତାରିତ କାର୍ଯ୍ୟକ୍ରମର ନିୟମନ ପାଇଁ ସରକାର କେତେକ ନିୟମାବଳୀ ପ୍ରଣୟନ କରିବେ ।

ସୂଚନାଯୋଗ୍ୟ ଯେ, ଭାରତରେ ସମ୍ବାଦପତ୍ର ପାଇଁ ଭାରତୀୟ ପ୍ରେସ ପରିଷଦ (ପ୍ରେସ୍ କାଉନସିଲ ଅଫ ଇଣ୍ଡିଆ), ଚଳଚ୍ଚିତ୍ରଗୁଡ଼ିକ ପାଇଁ ସେନସର ବୋର୍ଡ, ଟେଲିଭିଜନ ନ୍ୟୁଜ ପାଇଁ ନ୍ୟୁଜ ବ୍ରଡକାଷ୍ଟିଂ ଷ୍ଟାଣ୍ଡାର୍ଡସ ଅଥରିଟି ରହିଛି । କିନ୍ତୁ ଓଟିଟି ଏକ ନୂଆ କ୍ଷେତ୍ର ହୋଇଥିବାରୁ ତାହାର କୌଣସି ନିୟାମିକ ସଂସ୍ଥା ନାହିଁ । ଏହାର ଫାଇଦା ନେଇ ଓଟିଟି ପ୍ଲାଟଫର୍ମଗୁଡ଼ିକରେ ଅଶାଳୀନ ଓ ହିଂସାଦ୍ରେକକାରୀ କଣ୍ଟେଣ୍ଟ ପ୍ରସାରଣ ହେଉଛି ବୋଲି ଅଭିଯୋଗ ହେଉଛି ।

ସମ୍ବନ୍ଧିତ ଖବର