ଆଜି ସରକାରଙ୍କ ସହ ଆଲୋଚନା କରିବେ କୃଷକ ସଂଗଠନ

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା ପଞ୍ଜାବ ଓ ହରିୟାଣା କୃଷକଙ୍କ ଆନ୍ଦୋଳନ ଆଜି ୬ଷ୍ଠ ଦିନରେ ପହଞ୍ଚିଛି । ଗତ କାଲି ରାତିରେ କେନ୍ଦ୍ର ସରକାରଙ୍କ ଆମନ୍ତ୍ରଣକ୍ରମେ ଆଜି ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ତେବେ ଏହି ଆଲୋଚନା ପୂର୍ବରେ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ମତଭେଦ ଦେଖାଦେଇଛି । କେତେକ ସଂଗଠନ ଆଲୋଚନା ପାଇଁ ରାଜି ହୋଇଥିବାବେଳେ ଆଉ କେତେକ ଏଥିପାଇଁ ମନାକରିଦେଇଛନ୍ତି । ପଞ୍ଜାବ କିଷାନ ସଂଘର୍ଷ କମିଟିର ମହାସଚିବ ସୁଖବିନ୍ଦର ସିଂ ସବରାନ କହିଛନ୍ତି ଯେ ଦେଶରେ ପ୍ରାୟ ୫୦୦ କୃଷକ ସଂଗଠନ ଥିବାବେଳେ ସରକାର ମାତ୍ର ୩୨ଟି ସଂଗଠନକୁ ଆଲୋଚନା ପାଇଁ ଡାକିଛନ୍ତି । ସରକାର ସବୁ ସଂଗଠନକୁ ନ ଡାକିବା ପର୍ଯ୍ୟନ୍ତ ଆଲୋଚନାରେ ଭାଗ ନିଆଯିବ ନାହିଁ ବୋଲି ସେ କହିଛନ୍ତି ।

ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ କୃଷି ଆଇନକୁ ସମର୍ଥନ କରିବା ସହ ଏହା କୃଷକଙ୍କ ହିତ ସାଧନ କରିବ ବୋଲି କହିଥିଲେ । ବିରୋଧୀ ଦଳମାନେ ନିଜର ସଂକୀର୍ଣ୍ଣ ସ୍ବାର୍ଥ ସାଧନ ପାଇଁ କୃଷକମାନଙ୍କୁ ଉସୁକାଉଛନ୍ତି ବୋଲି ମୋଦୀ କହିଥିଲେ । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ମୋଦୀ ନିଜର ଅଳ୍ପ କିଛି ଶିଳ୍ପପତି ବନ୍ଧୁଙ୍କ ସ୍ବାର୍ଥରକ୍ଷା ପାଇଁ ଏହି ଆଇନ ଆଣିଛନ୍ତି । ଯଥାଶୀଘ୍ର ଏପରି ଆଇନର ପ୍ରତ୍ୟାହାର ପାଇଁ ସେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର